ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଜମି କେେଳଙ୍କାରୀ । ଦୁଇ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବିକି ଦେଇଛନ୍ତି ମୂଲ୍ୟବାନ ୪ ଏକର ଜମି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମାନେଶ୍ବର ତହସିଲ ଅନ୍ତର୍ଗତ ଗୁଡ଼େସିଂହା ଗାଁରେ। ତେବେ, ଏହି ସମଗ୍ର ପ୍ରକରଣରେ ପୁଲିସର ଭୂମିକା ସନ୍ଦେହ ଘେରରେ ରହିଛି। ଶାସନ ଥାନାରେ ଅଭିଯୋଗ କରିବା ପରେ ବି ମାମଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଜମନକିରା ବ୍ଲକ ସାନକୁଣ୍ଡେସରା ଗାଁ ନିବାସୀ ଦୁଇ ଭାଇ ପ୍ରଶାନ୍ତ ପ୍ରଧାନ ଓ ପଦ୍ମନାଭ ପ୍ରଧାନଙ୍କ ଅଭିଯୋଗ ହେଲା ତାଙ୍କ ଆଈ ଭାନୁମତୀ ପ୍ରଧାନ ଏବଂ ପିତା ସନାତନ ପ୍ରଧାନଙ୍କ ନାମରେ ମାନେଶ୍ବର ତହସିଲ ଅନ୍ତର୍ଗତ ଗୁଡ଼େସିଂହା ଗାଁରେ ଖାତା ନମ୍ବର ୨୧୫ରେ ୧୨ ଏକର ୮୨ ଡେସିମିଲ ଜମି ରହିଥିଲା। ୧୨ ନଭେମ୍ବର ୧୯୯୯ରେ ଭାନୁମତୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୫ ଏପ୍ରିଲ ୨୦୦୧ରେ ସନାତନ ପ୍ରଧାନଙ୍କ ମଧ୍ୟ ପରଲୋକ ଘଟିଥିଲା। କିନ୍ତୁ, କେତେକ ଖଳ ପ୍ରକୃତିର ବ୍ୟକ୍ତି ଗତ ୨୦୧୪ ମସିହାରେ ଶିକ୍ରାପାଲିର ଗାଁ ଜଣେ ବ୍ୟକ୍ତିଙ୍କୁ ସେଥିରୁ ମୂଲ୍ୟବାନ ୪ ଏକର ଜମି ବିକ୍ରି କରିଦେଇଛନ୍ତି। ପଞ୍ଜୀକରଣ ସମୟରେ ମୃତ ଭାନୁମତୀ ଏବଂ ସନାତନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ଛିଡ଼ା କରାଇ ଏହି ଜମି ବିକ୍ରି ହୋଇଛି। ମୃତ ଭାନୁମତୀ ଏବଂ ସନାତନଙ୍କ ସ୍ଥାନରେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ ମଧ୍ୟ ରହିଛି। ସନାତନ ବୃତ୍ତିରେ ଜଣେ ଶିକ୍ଷକ ଥିଲେ। ସେ ସବୁବେଳେ ଇଂରାଜୀରେ ଦସ୍ତଖତ କରୁଥିଲେ। କିନ୍ତୁ, ଉକ୍ତ ଦଲିଲରେ ସନାତନଙ୍କ ଓଡ଼ିଆରେ ଦସ୍ତଖତ ରହିଛି। ଅପରପକ୍ଷରେ ଭାନୁମତୀ ଦସ୍ତଖତ ଦେଇ ଜାଣୁନଥିଲେ। କିଛିଦିନ ତଳେ ଜମି କ୍ରେତା ଉକ୍ତ ଜମିରେ ହଳ କରୁଥିଲେ। ଏହା ଖବର ପାଇ ସେମାନେ(ପ୍ରଶାନ୍ତ ଓ ପଦ୍ମନାଭ) ସେଠାରେ ପହଂଚି ମନା କରିବାରୁ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ସେ ୨୦୧୪ ମସିହାରୁ ଜମି କିଣିଥିବା କହିଥିଲେ। ଲେଖାପଢ଼ା ଜାଣୁନଥିବା ଭାନମୁତୀ ଏବଂ ଇଂରାଜୀରେ ଦସ୍ତଖତ ଦେଉଥିବା ସନାତନଙ୍କ ନକଲି ଦସ୍ତଖତ ଏବଂ ଭିନ୍ନ ଫଟୋ ଦେଖାଇ ଜମି ହଡ଼ପ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଗତ ୨୬ ତାରିଖ ଦିନ ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଶାସନ ଥାନାକୁ ଯାଇ ଏତଲା ଦେଇଥିଲେ। ମାତ୍ର, ଆଜି ପର୍ଯ୍ୟନ୍ତ ପୁଲିସ ମାମଲା ରୁଜୁ କରିନାହିଁ କିମ୍ବା ଘଟଣାର ତଦନ୍ତ ସୁଦ୍ଧା କରିନାହିଁ। ଏହି ଜମି କିଣାବିକାରେ ଜମିକ୍ରେତାଙ୍କ କଳା କାରନାମା ରହିଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ପୁଲିସର ଭୂମିକା ମଧ୍ୟ ସନ୍ଦେହଜନକ ରହିଥିବା ସେମାନେ କହିଛନ୍ତି। ଶାସନ ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ପଚାରିବାରୁ ଏ ସଂକ୍ରାନ୍ତର ଅଭିଯୋଗ ହୋଇଥିବା କହିଛନ୍ତି। କିନ୍ତୁ, ଆବଶ୍ୟକ କାଗଜପତ୍ର ଦାଖଲ ହୋଇନଥିବାରୁ ମାମଲା ରୁଜୁ ହୋଇନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି। ତେବେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟର ସାମ୍ନାକୁ ଆସିବ ବୋଲି କହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/lands.jpg)