କର୍କଟ କେନ୍ଦ୍ରର ସଂପ୍ରସାରଣ ପାଇଁ ଆରମ୍ଭ ହେଲା ଜମି ସର୍ଭେ

ରିଙ୍ଗ୍‌ ବନ୍ଧକୁ ଫିଟିବ ରାସ୍ତା, ନିର୍ମାଣ ହେବ ବହୁତଳ କୋଠା

କଟକ : ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ସଂପ୍ରସାରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ମାପଚୁପ କରାଯାଇଛି। ଜିଲ୍ଲାପାଳ ଅରବିନ୍ଦ୍ର ଅଗ୍ରଓ୍ଵାଲଙ୍କ ନେତୃତ୍ୱରେ ପ୍ରଶାସନର ଏକ ଟିମ୍‌ କେନ୍ଦ୍ରର ସବୁ ଜମିକୁ ମାପିବା ସହିତ ଜବରଦଖଲରେ ଥିବା ସ୍ଥାନକୁ ମାପିଥିଲେ। ଜମିର ସ୍ଥିତି ସଂକ୍ରାନ୍ତରେ ଜିଲ୍ଲାପାଳ ଏକ ବିସ୍ତତ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ଦେବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି। କର୍କଟ କେନ୍ଦ୍ରରେ ମାମୋଗ୍ରାଫି ମେସିନ୍‌ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଆସିଥିବା ବେଳେ କେନ୍ଦ୍ର ସଂପ୍ରସାରଣ ବାଟରେ ଜବରଦଖଲ ଓ ଅନ୍ୟ ବିଭାଗର କ୍ୱାର୍ଟର୍‌ ଗୁଡ଼ିକ ପ୍ରତିବନ୍ଧକ ହେଉଥିବା ବିଷୟରେ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି କ୍ରମରେ ଏକ ପ୍ରସ୍ତାବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ପରେ କେନ୍ଦ୍ର ପକ୍ଷରୁ ତୁରନ୍ତ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା।

କେନ୍ଦ୍ର ପରିସରରେ ସାଧାରଣ ପ୍ରଶାସନର ଗୋଟିଏ, ଶିଳ୍ପ ବିଭାଗର ୪ କ୍ୱାର୍ଟର ରହିଛି। ଏଥିସହିତ ଅନ୍ୟ କିଛି ଅଞ୍ଚଳ ଜବରଦଖଲରେ ଥିବାରୁ କେନ୍ଦ୍ର ସଂପ୍ରସାରଣ ଅସମ୍ଭବ ହୋଇପଡୁଥିଲା। ବର୍ତ୍ତମାନ କେନ୍ଦ୍ରର ପାଖାପାଖି ୬ଏକର ଜମି ଥିଲାବେଳେ ସେଥିରୁ ପାଖାପାଖି ୭ଡିସିମିଲ୍‌ ଜମିକୁ ପୁଲିସ୍‌ ବିଭାଗ ଜବରଦଖଲରେ ରହିଛି। ପାଖାପାଖି ୨ଏକର ଜମିରେ ସାଧାରଣ ପ୍ରଶାସନ ଓ ଶିଳ୍ପ ବିଭାଗ କ୍ୱାର୍ଟର ରହିଛି। ସେହିପରି ଲିନାକ୍‌ ବିଲ୍ଡିଂ ଓ ଆନେକ୍ସ ବିଲ୍ଡଂ ମଝିରେ ରିଙ୍ଗ ବନ୍ଧକୁ ରାସ୍ତା ଫିଟାଇବାକୁ ଜବରଦଖଲ ମୁକ୍ତ କରାଯିବାକୁ ଯୋଜନା ହୋଇଛି। ଜବରଦଖଲ ରାସ୍ତା ପାଖକୁ ଏକ ୧୩ ଫୁଟର ରାସ୍ତା ଖୋଲିବାକୁ ରାଜସ୍ୱ ବିଭାଗ ଜମି ନିର୍ଧାରଣ କରିଛି। ତାହାକୁ ଏକ ଘରୋଇ ଜମି ସହିତ ଅଦଳବଦଳ କରାଯିବାକୁ ଆପାତତଃ ଆଲୋଚନା ଶେଷ ହୋଇଛି। ଜମି ଅଦଳବଦଳ ହେଲା ପରେ ଖୁବ୍‌ ଶୀଘ୍ର ରିଙ୍ଗ ବନ୍ଧକୁ ସିଧାସଳଖ ରାସ୍ତା ଫିଟିବ ବୋଲି କୁହାଯାଇଛି। ଏପରିକି, ଜମି ମିଳିବା ପରେ ସେଠାରେ ବହୁ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ତଳ ମହଲାରେ ପାର୍କିଂ କରାଯିବାକୁ ଛଡ଼ାଯିବା ପରେ ଉପରକୁ ଓ୍ଵାର୍ଡ ଓ ଅନ୍ୟାନ୍ୟ ବିଭାଗ କାର୍ଯ୍ୟକ୍ରମ ହେବ ବୋଲି ଯୋଜନା କରାଯାଇଛି।

ଜମି ସର୍ଭେ ରିପୋର୍ଟକୁ ଦାଖଲ କରିବା ପରେ ୨୫ ତାରିଖ ପରେ ଉଚ୍ଚସ୍ତରୀୟ ବୈଠକ ଡକାଯିବାକୁ ଅନୁରୋଧ କରାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉପ ଜିଲ୍ଲାପାଳ ସୁକାନ୍ତ ପ୍ରଧାନ, ଜରୁରିକାଳୀନ ଅଧିକାରୀ ପ୍ରବୋଧ କୁମାର ରାଉତ, ତହସିଲଦାର ସଞ୍ଜିବିତା ରାୟଙ୍କ ସହ ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି ସର୍ଭେରେ ସାମିଲ ହୋଇଥିଲେ। କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ପ୍ରଶାସନିକ ଅଧିକାରୀ ରୁଦ୍ର ପ୍ରସନ୍ନ ଦାସ, ଡିନ୍‌ ପ୍ରଫେସର ଡାକ୍ତର ନିରଂଜନ ରାଉତ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କୁ ସହାୟତା କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ଏହି ଏକମାତ୍ର ସରକାରୀ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ବେଡ୍‌ ସଂଖ୍ୟା ୫୦୦ ଥିବାବେଳେ ରୋଗୀ ସଂଖ୍ୟା କିନ୍ତୁ ଦୁଇଗୁଣା ହେଉଛି। ବର୍ତ୍ତମାନ ପିଜି ସିଟ୍‌ ଖୋଲିଥିବାରୁ ଭିତ୍ତିଭୂମି ସୁଧାରିବା ନିହାତି ଆବଶ୍ୟକ ହୋଇପଡ଼ିଛି। ତେଣୁ ଏଠାରେ ଷ୍ଟେଟ୍‌ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ ଖୋଲାଯିବାକୁ ରହିଥିବା ଯୋଜନା ଅଧିନରେ ବାରଙ୍ଗଠାରେ ଦ୍ୱିତୀୟ କ୍ୟାମ୍ପସ୍‌ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିଲା। କିନ୍ତୁ ଜମି ମିଳିବାରେ ବିଳମ୍ବ ହେଉଥିବାରୁ କେନ୍ଦ୍ର ପାଖକୁ ଲାଗି ରହିଥିବା ଜମିରେ ଏହାକୁ ସଂପ୍ରସାରିତ କରିବାକୁ ଚିନ୍ତା କରାଯାଇଥିଲା। ଏଥିପାଇଁ ପୂର୍ବରୁ ସ୍ୱାସ୍ଥ୍ୟ, ଶିଳ୍ପ ଓ ନଗର ଉନ୍ନୟନ ସଚିବ ସମସ୍ତ ସ୍ଥାନ ପରିଦର୍ଶନ କରିଥିଲାବେଳେ ବୋସ୍‌ କ୍ୟାମ୍ପସ୍‌ ଜମିକୁ ମଧ୍ୟ ଏଥିପାଇଁ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର