ଜମି ଖଜଣା ବ୍ୟବସ୍ଥା ଅନଲାଇନ୍ ହେଲା : ୨୦୨୦ ସୁଦ୍ଧା ସବୁ ସରକାରୀ ସେବା ହେବ ଅନଲାଇନ୍

ଭୁବନେଶ୍ବର : ୭୩ ତମ ସ୍ବାଧୀନତା ଦିବସ ଅବସରରେ ‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପଦକ୍ଷେପ ସ୍ବରୂପ ଜମି ଖଜଣା ଆଦାୟକୁ ଅନଲାଇନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଫଳରେ ଖଜଣା ପଇଠ ଦାଖଲ କରିବାକୁ ଲୋକଙ୍କୁ ଆଉ ରାଜସ୍ବ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଗତକାଲି ଲୋକସେବା ଭବନରେ ଏହି ଅନ୍‌ଲାଇନ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଜଣା ଦେବାରେ ଆଉ ଏଣକି ସମସ୍ୟ ରହିବ ନାହିଁ ଏବଂ ଚାଷୀମାନେ ସୁବିଧାରେ ଖଜଣା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଭୁବନେଶ୍ବର ତହସିଲ ଅଧିନରେ ଥିବା ଚାଷୀ ମନୋଜ କୁମାର ଦାସ ଅନ୍‌ଲାଇନ୍‌ରେ ନିଜ ଖଜଣା ପଇଠ କରିଥିଲେ।

ଏହି ଖଜଣା ପଇଠକୁ ସିଧାସଳଖ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦେଖିଥିଲେ। ମାତ୍ର ଗୋଟିଏ ମିନିଟରେ ଏହି ଅନଲାଇନ ସେବା ଜରିଆରେ ରାଜସ୍ବ ପଇଠ ସମ୍ଭବ ହେବ। ଏହାସହ ସଙ୍ଗେସଙ୍ଗେ ପେମେଣ୍ଟ ରସିଦ ମିଳିବ। ଏନଆଇସି ଭୁବନେଶ୍ବର ଦ୍ବାରା ପ୍ରସ୍ତୁତ ଏହି ଅନଲାଇନ ବ୍ୟବସ୍ଥା ଅତି ସହଜ ଏବଂ ଚାଷୀ ବିନା କୌଣସି ଅସୁବିଧାରେ ଜମିର ଖଜଣା ଦେଇପାରିବ। ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼, ଗଞ୍ଜାମ, ନବରଙ୍ଗପୁର ଏବଂ ପୁରୀର କିଛି ଚାଷୀଙ୍କ ସହ ଏହି ଅନଲାଇନ୍‌ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଚାଷୀମାନେ ମଧ୍ୟ ଏଭଳି ସୁବିଧା ପାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ରାଜସ୍ବ ବିଭାଗୁ ଏଥିପାଇଁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ଇନିସିଏଟିଭର ପ୍ରମୁଖ ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ, ୨୦୨୦ ସୁଦ୍ଧା ସମସ୍ତ ସରକାରୀ ସେବାକୁ ଅନଲାଇନ ଜରିଆରେ ଉପଲବ୍ଧ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ କାର୍ଯ୍ୟକ୍ରମର ଏହା ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର