ଆରମ୍ଭ ହେଲା ବାତ୍ୟା ‘ଗୁଲାବ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ବର: ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ |

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି | କଳିଙ୍ଗପାଟ୍ଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି | ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି |

ତେବେ ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ | ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ | ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି | ଗୋପାଳପୁର ବନ୍ଦର ପାଇଁ ବିପଦ ସଙ୍କେତ ୭ , ପୁରୀ ପାଇଁ ବିପଦ ସଙ୍କେତ ୬ ଓ ପାରାଦ୍ୱୀପ ଏବଂ ଧାମରା ବନ୍ଦର ଗୁଡିକ ପାଇଁ ବିପଦ ସଙ୍କେତ ୩ ଜାରି କରାଯାଇଛି।

ସମ୍ବନ୍ଧିତ ଖବର