ମୌଳିକ ଆବଶ୍ୟକତାରୁ ବଞ୍ଚିତ ଭୂମିହୀନ ପରିବାର

କାଳିଆପାଣି : ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ରତ୍ନଗର୍ଭା ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ଭୂମିହୀନ ଓ ବାସହୀନ ରହିଥିବା ୯ ଜଣିଆ ଆଦିବାସୀ ପରିବାର ଏବେ ଭଗବାନଙ୍କ ଭରସାରେ ରହିଛନ୍ତି। ଚିଙ୍ଗୁଡ଼ିପାଳ ପଞ୍ଚାୟତ ୧୧ ନଂ ୱାର୍ଡ ଅନ୍ତର୍ଗତ କଣ୍ଟାବଣି ସାହିର ଅନ୍ଧ ବିଶ୍ବାସ କବଳିତ ନିରକ୍ଷର ଦମ୍ପତି ସୀନା ଓ ପଦିଆ ମୁର୍ମୁ ଏବଂ ସେମାନଙ୍କ ଔରସରୁ ଜନ୍ମ ନେଇଥିବା ୭ ସନ୍ତାନ ବର୍ଷବର୍ଷ ଧରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ରହିଛନ୍ତି। ଏହି ପରିବାର ପାଖେ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଉତ୍କଟ ସମସ୍ୟା ରହିଛି। ବଡ଼ ପରିବାର ହେଲେ ବି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ। ମାଳମାଳ ଯୋଜନା ସତ୍ତ୍ବେ ଏହି ଉପେକ୍ଷିତ ଆଦିବାସୀ ପରିବାରର ଭାଗ୍ୟ ଓ ଭବିଷ୍ୟତ ଅନିଶ୍ଚିତତା ଓ ଅନ୍ଧାର ଘେରରେ ରହିଛି।

ସଚେତନତା ଅଭାବରୁ ପରିବାର ନିୟୋଜନ ବ୍ୟବସ୍ଥାରୁ ଦୂରେଇ ରହିଥିବା ସୀନା ଓ ପଦିଆଙ୍କର ୫ ଜଣ ଝିଅ ଓ ୨ ଜଣ ପୁଅ ଅଛନ୍ତି। ବଡ଼ ଝିଅ ସୀତା ୬ଷ୍ଠ ଏବଂ ୨ୟ ଝିଅ ଯମୁନା ଓ ବଡ଼ପୁଅ ଦୁଃଖିଆ ୪ର୍ଥ ଶ୍ରେଣୀରେ ପଢ଼ନ୍ତି। ୩ୟ ଓ ୪ର୍ଥ ଝିଅ ନାଗୀ ଓ ବେଲ ନାଁ ଅଙ୍ଗନବାଡ଼ି କେନ୍ଦ୍ରରେ ରହିଛି। ଅଢ଼େଇ ବର୍ଷର ପୁଅ ମୋଚିଆ ଓ ୧୦ ମାସର ସାନଝିଅ ଦାନ୍‌ଗୀ ଏବେ ମାଆ କୋଳରେ ବଢ଼ୁଛନ୍ତି। ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ଏହି ୯ ଜଣିଆ ପରିବାରକୁ ମାସିକ ମାତ୍ର ୨୦ କିଲୋ ଲେଖାଏଁ ଚାଉଳ ମିଳୁଛି। ଭୂମିହୀନ ଆଦିବାସୀ ହେଲେ ମଧ୍ୟ ପଦିଆ ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬) ଓ ବସୁନ୍ଧରା ଯୋଜନାରୁ ବଞ୍ଚିତ ରହିଛନ୍ତି। ୨ଟି ଦଉଡ଼ିଆ ଖଟ ଓ ୨ଟି ଜରି ପାଲ ସାହାରାରେ ପରିବାର ସାରା ଝଡ଼, ବର୍ଷା, ଶୀତ ଓ କାକରକୁ କାଠେଇ ଯାଉଛନ୍ତି। ପଟ୍ଟା ନଥିବା ପୈତୃକ ଜମି ଅଗଣାରେ କେଇ ଖଣ୍ଡ କାଠ ଖୁଣ୍ଟ ଓ ବହ୍ଲାରେ ଭାଡ଼ି ତିଆରି କରି ସେଇଠି ଖାଦ୍ୟ ଓ ଭୋଜନ ସାମଗ୍ରୀ ସାଇତି ରଖୁଥିବା ଦେଖିବାକୁ ମିଳିଛି। ଗାଁ ପାଖ ଜଙ୍ଗଲରୁ କାଠ କାଟି ଘର କରିବାକୁ ଆଶା ବାନ୍ଧିଥିଲେ ମଧ୍ୟ ବନ ଆଇନ କଟକଣାକୁ ଡରି ବେଘର ରହିଥିବା ଶ୍ରୀ ମୁର୍ମୁ କହନ୍ତି। ତାଙ୍କ ପାଖେ ଇନ୍ଦିରା ଆବାସ, ଖଣି ପ୍ରଭାବିତ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ମୋ’କୁଡ଼ିଆ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନା ଅପହଞ୍ଚ ରହିଛି। ସେଇଠି ତାଙ୍କ ଭାଇମାନେ ଭଲ ଘରଦ୍ବାର କରି ଭଲରେ ଚଳୁଥିଲେ ହେଁ ସ୍ବାଭିମାନୀ ପଦିଆ ଅନ୍ୟ ପାଖେ ହାତ ପାତିବାକୁ କୁଣ୍ଠାବୋଧ କରନ୍ତି। ଆଶ୍ରୟ ସମସ୍ୟା ପାଇଁ ତିନି ଝିଅ ଏବେ ମାମୁ ଘରେ ରହୁଛନ୍ତି। ଜବ୍‌ କ‌ାର୍ଡ ନଥିବାରୁ ମନରେଗା ଯୋଜନାରେ ଏହି ଗରିବ ଦମ୍ପତିଙ୍କଙ୍କୁ ଟଙ୍କାଟିଏ ଆୟ କରିବାର ବି ସୁଯୋଗ ନାହିଁ। ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ଦାନରେ ମିଳୁଥିବା ବସ୍ତ୍ରରେ ସେମାନେ ଲଜ୍ଜା ନିବାରଣ କରିଥାନ୍ତି। ପରିବାର ପାଖେ ସାମାଜିକ ସୁରକ୍ଷା ଦିଗହରା। ୭ଟି ସନ୍ତାନର ମାଆ ହୋଇଥିଲେ ମଧ୍ୟ ସୀନା ଜନନୀ ସୁରକ୍ଷା ଯୋଜନା କିମ୍ବା ‘ମମତା’ ଯୋଜନା ବାବଦରେ ସଂପୂର୍ଣ୍ଣ ଅଜ୍ଞ।

ଏ ସଂପର୍କରେ ସରପଞ୍ଚ ନୀଳେନ୍ଦ୍ର ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ଏହି ଦମ୍ପତିଙ୍କ ଦୟନୀୟ ଅବସ୍ଥା ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଗତ ପର୍ଯ୍ୟାୟରେ ଉକ୍ତ ବସ୍ତିର ବହୁ ପରିବାର ଜଙ୍ଗଲ ଜମି ପଟ୍ଟା ପାଇଥିଲେ ମଧ୍ୟ ପଦିଆ ମୁର୍ମୁ ଦୁର୍ଭାଗ୍ୟଜନକ ଭାବେ ବାଦ୍‌ ପଡ଼ିଥିବା ସେ କହିଥିଲେ। ପଦିଆଙ୍କ ସ୍ଥିତି ସଂପର୍କରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପତି ଓ ଖାଦ୍ୟ ସମସ୍ୟା ନେଇ ଯୋଗାଣ ନିରୀକ୍ଷକ ଦେବାଶିଷ କରଙ୍କୁ ଯୋଗାଯୋଗ କରିବାରେ ପରିବାରର ଦୁଃସ୍ଥିତି ନେଇ ଚିନ୍ତା ପ୍ରକଟ କରିଥିଲେ। ଏହି ପରିବାରକୁ ଯଥାସମ୍ଭବ ସହାୟତା କରାଯିବ ବୋଲି ଉଭୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର