କଠିନ ପରିଶ୍ରମ ଆଗରେ ହାର ମାନିଲା ଭାଗ୍ୟ : ଭୂମିହୀନ ହୋଇ ବି ସଫଳ ଚାଷୀ ପାଲଟିଲେ ଭାଗ୍ୟଧର

ଗୋପ : ଚାଷ ଅଛି ଯାହାର କି ଆନନ୍ଦ ତାହାର। ଏହାକୁ ଶତ ପ୍ରତିଶତ ଭାବେ କାର୍ଯ୍ୟରେ କରି ଦେଖାଇଛନ୍ତି ଗୋପ ଥାନା ଗଣେଶ୍ୱରପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ଭାଗ୍ୟଧର ବେହେରା। କୁଶଭଦ୍ରା ନଦୀ ପଠାରେ ମାତ୍ର ଦୁଇ ଏକର ଜମିରେ ଭାଗ ଚାଷୀ ଭାବେ ଚାଷ କରୁଛନ୍ତି ଏହି ଉଦ୍ୟମୀ ଚାଷୀ। ବର୍ଷ ସାରା ପରିବା ଚାଷ ଉପରେ ନିର୍ଭର କରୁଥିବା ଭାଗ୍ୟଧର ସମୟ ସମୟରେ ଛତୁ ଚାଷ ମଧ୍ୟ କରିଥାନ୍ତି। ନିଜେ ବ୍ୟକ୍ତିଗତ ଭାବେ ଭୂମିହୀନ ହୋଇଥିବା ବେଳେ ଗଣେଶ୍ୱରପୁର ଅ˚ଚଳର ଜମି ମାଲିକମାନଙ୍କଠାରୁ ଏକର ପିଛା ୭୫୦୦ ଟଙ୍କା ବାର୍ଷିକ ଖଜଣା ଦେଇ ସେ ଚାଷ କରିଥାନ୍ତି। ବିଶେଷ କରି କାକୁଡ଼ି, କଲରା, ବିନ୍‌, ଟମାଟୋ, ଭେଣ୍ତି, ଲଙ୍କା, ଜହ୍ନି ଭଳି ପରିବା ଚାଷରେ ସେ ନିପୁଣ। ଭାଗ୍ୟଧର ପ୍ରତିଦିନ ସକାଳୁ କୋଦାଳ ଧରି ବିଲରେ ଖଟୁଥିବା ବେଳେ ତାଙ୍କ ବାପା ଓ ଦୁଇ ଉଚ୍ଚ ଶିକ୍ଷିତ ପୁଅ ମଧ୍ୟ ଚାଷ କାର୍ଯ୍ୟରେ ସହଯୋଗ କରିଥାନ୍ତି।

ପ୍ରାକୃତିକ ଦୁର୍ବିପାକରେ ବାରମ୍ବାର ଫସଲ କ୍ଷତି ହେଉଥିବା ସମୟରେ କେବେ ବି ଭାଙ୍ଗି ପଡ଼ି ନାହାନ୍ତି ଭାଗ୍ୟଧର। ପରିଶ୍ରମରେ ବିଶ୍ୱାସ କରୁଥିବା ଭାଗ୍ୟଧର କେବେ ବି ଭାଗ୍ୟକୁ ଦୋଷ ଦେଇ ନାହାନ୍ତି। ଦୁଇ ଏକର ଭାଗ ଜମିରୁ ସେ ବାର୍ଷିକ ପାଖାପାଖି ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କଠିନ ପରିଶ୍ରମ ଦ୍ୱାରା ସବୁ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ଆବାସ ଯୋଜନା ଓ ଚାଷ କରିବା ପାଇଁ କୌଣସି ସହାୟତା ମିଳି ନଥିଲେ ମଧ୍ୟ ସେ ଆଦୌ ଦୁଃଖିତ ନୁହନ୍ତି ବୋଲି କହିଛନ୍ତି। ଏ ସ˚ପର୍କରେ ଗୋପ କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ, ଏଭଳି ଜଣେ ଚାଷୀଙ୍କ ସ˚ପର୍କରେ ସେ ଜାଣି ନଥିଲେ। ତାଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର