ଖାଦ୍ୟ ସୁରକ୍ଷା ଯୋଜନା ପାଲଟିଛି ସାତସପନ, ଦୁର୍ଦ୍ଦିନରେ ଭୂମିହୀନ ଆଦିବାସୀ ପରିବାର

କାଳିଆପାଣି : ଗରିବ ଆଦିବାସୀଙ୍କ ପାଇଁ ମାଳମାଳ ଯୋଜନା। ତଥାପି ବହୁ ପରିବାର ଉପେକ୍ଷିତ ଜୀବନଯାପନ କରୁଛନ୍ତି। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ବି ସାତସପନ ହୋଇଯାଇଛି।

ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ୧ ନଂ ୱାର୍ଡ ଚିରିଗୁଣିଆ ମାଝିସାହି ପାଖ ଡମଶାଳ ନାଳକୂଳ ହଟିଂରେ ରହୁଛନ୍ତି ପୁତୁଲି ସିଂ(ମୁଣ୍ଡା) ଓ ନିର୍ମଳ ସିଂଙ୍କ ୬ ଜଣିଆ ପରିବାରର। ଦୁରବସ୍ଥ‌ା ଏବେ କହିଲେ ନସରେ। ଅର୍ଥାଭାବରୁ ନିଜ ପାଇଁ ଘର ଖଣ୍ଡିଏ କରିପାରି ନାହନ୍ତି। ଖାଦ୍ୟ ସୁରକ୍ଷା, ବସୁନ୍ଧରା ଓ ସାମାଜିକ ନିରାପତ୍ତା ଯୋଜନା ସେମାନଙ୍କ ପାଇଁ ସାତସପନ ହୋଇ ରହିଛି। ଏହି ପରିବାର ଗତ ଦଶନ୍ଧିରୁ ଅଧିକ ହେବ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପରିତ୍ୟକ୍ତ ହଟିଂର ଏକ ଭଙ୍ଗା ଶ୍ରମିକ କ୍ବାର୍ଟର୍ସରେ ମୁଣ୍ଡ ଗୁଞ୍ଜିଛନ୍ତି। ଅଭାବ ଅନଟନରେ ୪ ସନ୍ତାନଙ୍କ ପାଇଁ ଦାନାକନା ଯୋଗାଡ଼ କରିବା କାଠିକର ପାଠ ହୋଇଛି। ଏମିତିରେ ସମସ୍ତ ସନ୍ତାନଙ୍କ ଶୈଶବ ପ୍ରଭାବିତ ହୋଇଛି। ଶିଶୁ ସୁରକ୍ଷା ଓ ଅଧିକାର ଆଇନ ବନ୍ଧା ପଡ଼ିଛି। ୧୦ ଦିନ ତଳେ ଏକ ଦୁର୍ଘଟଣାରେ ପୁତୁଲିଙ୍କ ଡାହାଣ ଆଖିଟି ନଷ୍ଟ ହୋଇଯାଇଛି। ଚିକିତ୍ସା ଅଭାବରୁ ସେ ଭିନ୍ନକ୍ଷମ ପାଲଟି ଯାଇଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍‌ଧ ସରକାରୀ ସ୍ମାର୍ଟ କାର୍ଡ ତାଙ୍କ ପାଖେ ନିରର୍ଥକ ସାବ୍ୟସ୍ତ ହୋଇଛି।

ପ୍ରଥମ ସନ୍ତାନ ଜନ୍ମ ହେବାର ୬ ମାସ ମଧ୍ୟରେ ପୁତୁଲି ମୁଣ୍ଡାଙ୍କ ପ୍ରଥମ ସ୍ବାମୀ ଅଜଣା ରୋଗରେ ପଡ଼ି ଆରପାରିକୁ ଚାଲିଗଲେ। ଏହାର କିଛିଦିନ ମଧ୍ୟରେ ସେ ନିଜ ବାପାମାଆଙ୍କୁ ହରାଇଥିଲେ। ଶିଶୁ ସନ୍ତାନକୁ ଧରି ଏବେ ସେ ଦିନ ମଜୁରିଆ ନିର୍ମଳ ସିଂଙ୍କ ସହ ଏକାଠି ରହି ଆସୁଛନ୍ତି। ଉଭୟଙ୍କ ଔରସରୁ ଆଉ ୩ ସନ୍ତାନ ଜନ୍ମ ହୋଇଛନ୍ତି। ୪ ସନ୍ତାନ ମୁନା(୧୬), ନେହା(୧୩), ବିକି(୧୦) ଓ ରକି(୬)ଙ୍କ ଲାଳନପାଳନକୁ ନେଇ ସେମାନେ ଭାରାକ୍ରାନ୍ତ। ବଡ଼ପୁଅ ନିରକ୍ଷର। ଅନ୍ୟ ୩ ସନ୍ତାନଙ୍କ ନାଁ ପାଖ ସ୍କୁଲରେ ରହିଛି ସତ ହେଲେ କରୋନା ପାଇଁ କେହି ବି ଖଡ଼ିପାଠ ଶିଖି ନାହାନ୍ତି।

ନିର୍ମଳଙ୍କ ବ୍ୟତୀତ ପରିବାରରେ ଆଉ କାହାର ଆଧାର କାର୍ଡ ନାହିଁ। ଭୋକରେ ଥିବା ଏହି ୬ ଜଣିଆ ପରିବାର ପାଖେ ଖାଦ୍ୟ ସୁରକ୍ଷା ଯୋଜନା ବାଟ ହୁଡ଼ିଛି। ଆଦିବାସୀ ଭୂମିହୀନ ଥାଇ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ ବି ବସୁନ୍ଧରା ଯୋଜନା କିମ୍ବା ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ରୁ ବଞ୍ଚିତ ରହିଛନ୍ତି। ସ୍ଥାୟୀ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେମାନଙ୍କ ପାଇଁ ଯୋଜନ ଦୂରରେ ରହିଛି। ପରିବାରରେ କାହାକୁ ଜବ୍‌ କାର୍ଡ ମିଳିନଥିବାରୁ ମନରେଗା ଯୋଜନାରେ କେହି ଟଙ୍କାଟିଏ ରୋଜଗାର କରିବାର ସୁଯୋଗ ପାଇନାହାନ୍ତି। ପୁତୁଲିଙ୍କ ଏତାଦୃଶ ଅବସ୍ଥା ସଂପର୍କରେ ସରପଞ୍ଚ କଳ୍ପନା ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ତାଙ୍କୁ ଯଥାସମ୍ଭବ ସହାୟତା କରାଯିବ ବୋଲି କହିଥିଲେ। ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଯୋଗାଣ ନିରୀକ୍ଷକ ଦେବାଶିଷ କର କହିଛନ୍ତି।

ସମ୍ବନ୍ଧିତ ଖବର