କଣ୍ଟାମାଳ/ବଲାଙ୍ଗୀର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଲମତୁମା ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନ ଦ୍ବୟ ହେଲେ ରସରାଜ ଶିରୋମଣି ନାଏକ (୩୧) ଓ ଉତ୍କଳ ପଟେଲ (୩୩)। ଉଭୟଙ୍କୁ ଏଆର୍ଲିଫ୍ଟ କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏମ୍ସକୁ ନିଆଯାଇଛି। ସୂଚନା ଅନୁସାରେ, କଣ୍ଟାମାଳ ଥାନା ଲମ୍ବସରୀ ପଞ୍ଚାୟତ ବଲମତୁମା ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇ ଗୁରୁବାର ଏସ୍ଓଜି ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ହଠାତ୍ ବିସ୍ଫୋରଣ ହୋଇଥିଲା।
ଏଥରେ ରସରାଜ ଓ ଉତ୍କଳ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ କଣ୍ଟାମାଳ ପୁଲିସ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ବଲାଙ୍ଗୀରରେ ସିଟିସ୍କାନ କରାଯିବା ପରେ ଉଭୟଙ୍କୁ ନିକଟ ମନୋହରପୁର ପୁଲିସ ଗ୍ରାଉଣ୍ଡରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱରସ୍ଥିତ ଏମ୍ସକୁ ନିଆଯାଇଥିଲା। ରସରାଜଙ୍କ ମୁଣ୍ଡରେ ଓ ଉତ୍କଳଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ମାଓବାଦୀମାନେ ମାଓନେତା ଦସରୁ ହତ୍ୟାର ବଦଲା ନେବା ପାଇଁ ଶଗଡ଼ା ଫାଣ୍ଡି ଅଞ୍ଚଳରେ ପୋଷ୍ଟର ମାଧ୍ୟମରେ କିଛି ଦିନ ତଳେ ଧମକ ଦେଇଥିଲେ।