ବ୍ୟାସନଗରରେ କୋଟି କୋଟି ଟଙ୍କାର ଜମି ଦୁର୍ନୀତି

ସରକାରୀ ଜମି ହଡ଼ପ, ଲିଜ୍‌ଜମି ବିକ୍ରି, ପ୍ରଶାସନ ଚୁପ୍ କାହିଁକି?

ଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହର ଓ ଆଖପାଖ ଅଞ୍ଚଳର ଶହଶହ ଏକର ମୂଲ୍ୟବାନ ସରକାରୀ ଜମି କେତେକ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ହାତେଇ ନେଇଛନ୍ତି। ସରକାରୀ ଜମିକୁ ଦୀର୍ଘମିଆଦି ସୂତ୍ରରେ ଲିଜ୍ ନେବା ପରେ ବିକ୍ରି କରିଦେବା ଭଳି ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ମୂଲ୍ୟବାନ ଜମି ହାତେଇଥିବା ପ୍ରଭାବଶାଳୀଙ୍କ ବ୍ୟକ୍ତିଙ୍କ ଚାପରେ ବ୍ୟାସନଗର ତହସିଲଦାର ବାରମ୍ବାର ବଦଳୁଛନ୍ତି। ଏହାକୁ ଦେଖି ଅନ୍ୟ ଅଧିକାରୀମାନେ ଜମି ଦୁର୍ନୀତିରେ ହାତ ମାରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଜମି ବନ୍ଦୋବସ୍ତରେ ଟାଳଟୁଳ ନୀତିର ଫାଇଦା ନେଇ ପ୍ରଭାବଶାଳୀ ବ୍ୟକ୍ତି ସରକାର ଜମି ମାଡ଼ି ବସିଛନ୍ତି। ଅଥଚ ସାଧାରଣ ସହରବାସୀ ୫୦ ବର୍ଷ ଧରି ସରକାରଙ୍କ ତହବିଲକୁ ରାଜସ୍ବ ଦେଇ ମଧ୍ୟ ଘର ଜମି ପଟା ହାସଲ କରି ନପାରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ ଜମିକୁ ମଧ୍ୟ କେତେକ ଲୋକ କବଜାକୁ ନେଇ ବିକ୍ରିବଟା କରିବାରେ ଲାଗିପଡ଼ିଛନ୍ତି। ବ୍ୟାସନଗର ତହସିଲର ଶହଶହ କୋଟି ଟଙ୍କାର ଜମି ଦୁର୍ନୀତି ଚର୍ଚ୍ଚାକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

ହସ୍ତଗତ ତଥ୍ୟ ଅନୁସାରେ, ଚାନ୍ଦମା ମୌଜା ସାବକ ଖାତା ନମ୍ବର ୨୧୮, ପ୍ଲଟ ନମ୍ବର ୭,୧୧,୧୩ ଓ ୧୫ ରେ ୨୩୦ଏକର ଜଙ୍ଗଲ ଓ ଅନାବାଦୀ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଅଛି। ସେଥିମଧ୍ୟରୁ ପ୍ଲଟ ନମ୍ବର ୧୩ ଓ ୧୫ କେନ୍ଦୁଝର ରାଣୀ ସ୍ବର୍ଗତ ସ୍ବର୍ଣ୍ଣପ୍ରଭା ମଞ୍ଜରୀ ଦେବୀ ଲିଜ୍ ନେଇଥିଲେ। ସେଥିରୁ ୨୮ଏକର ଜମି ବିକ୍ରି କରାଯାଇଛି। ସରକାର ଜମି ଲିଜ୍ ନେଇ କେମିତି ବିକ୍ରି କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଜଣାପଡ଼ିଛି ଯେ, ଏହି ମୂଲ୍ୟବାନ ଜମିର ଏକର ପିଛା ମୂଲ୍ୟ କୋଟି କୋଟି ଟଙ୍କା ହେଉଥିବା ବେଳେ ଶାଗମାଛ ଦରରେ କିଣାବିକା ହୋଇଛି। ସେହିପରି ଚୋରଦା ମୌଜାର ଖାତା ନମ୍ବର ୧୬୨, ପ୍ଲଟ୍ ନମ୍ବର ୧ ଓ ୩ର ୧୧୭ଏକର ଝାଟି ଜଙ୍ଗଲ ଜମିକୁ ପୂର୍ବତନ ବିଧାୟକ ମଦନ ପଟ୍ଟନାୟକ ଲିଜ୍ ନେଇଥିଲେ। ତାହା ମଧ୍ୟ କିଣାବିକା ହୋଇଛି। ଉମାପଦା ମୌଜାର ପ୍ଲଟ୍ ନମ୍ବର ୧ରେ ୨୫ ଏକର ଗ୍ରାମ୍ୟ ଜଙ୍ଗଲ କେତେକ ବ୍ୟକ୍ତିଙ୍କ କବ୍‌ଜାରେ ରହିଛି। ସେହିପରି ରମ୍ପାସ ମୌଜାର ଖାତା ନମ୍ବର ୫୨, ପ୍ଲଟ ନମ୍ବର ୪୦୪ରେ ୨୯୩ଏକର ଶାଳଜଙ୍ଗଲ ବିଭିନ୍ନ ଲୋକ ମାଡ଼ି ବସିଛନ୍ତି। ମୁଣ୍ଡମାଳର ଖାତା ନମ୍ବର ୪୦ ଓ ୯୦ରେ ୨୫୦ଏକର ଜମି ଝାଟି ଜଙ୍ଗଲ ବୋଲି ଦର୍ଶାଯାଇଛି। ସରକାରୀ ଖାତାରେ ଜଙ୍ଗଲ ଦର୍ଶାଯାଉଥିବା ଜମିଗୁଡ଼ିକରେ ଗଛ ନଥିବାବେଳେ କେତେକ ଲୋକ ଘରବାଡ଼ି କରି ଦୀର୍ଘଦିନରୁ ରହିଗଲେଣି। ଏହାକୁ ନେଇ ସରକାର ଓ ସହରବାସୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଟଣାଓଟରା ଚାଲିଛି। ତାହାର ସମାଧାନ ହେଉନାହିଁ। ଏହାର ସୁଯୋଗରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଶହ ଶହ ଏକର ଜମି କବ୍‌ଜାକୁ ନେଇଯାଇଛନ୍ତି। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସରକ‌ାରୀ ଜମିକୁ କେତେକ ଜମିମାଫିଆ ଏକାଧିକ ବାର ବିକିବା ଆରମ୍ଭ କରିଥିବା ବେଳେ ପ୍ଲଟିଂ କରି କୋଟି କୋଟି ଟଙ୍କା ହାତେଇବାରେ ଲାଗିଛନ୍ତି। ଦୀପତଳ ଅନ୍ଧାର ଭଳି ତହସିଲ ଚାରି ପାଖରେ ସରକାରୀ ଜମି କିଣାବିକା ଚାଲିଥିବାବେଳେ ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାର ରାଜସ୍ବ ବିଭଗ ଅଧିକାରୀ ଚୁପ୍‌ ହୋଇବସିଛନ୍ତି।

ଅନ୍ୟପକ୍ଷରେ, ଦୀର୍ଘ ୫୦ ବର୍ଷ ହେଲା ବ୍ୟାସନଗର ତହସିଲ ପକ୍ଷରୁ ପ୍ଲଟ୍ କରି ଦିଆଯାଇଥିବା ଜମିର ମାଲିକାନା ସାଧାରଣ ଲୋକଙ୍କୁ ମିଳିନାହିଁ। ରମ୍ପାସ ମୌଜାର ଶତାଧିକ ଲୋକ ତହସିଲଦାରଙ୍କ ଠାରୁ ସରକାରୀ ଜମି ନେଇ ରାଜସ୍ବ ପୈଠ କରିଥିଲେ। ଏବେ ବି ଘର ମାଲିକଙ୍କ ନାମରେ ଜମି ପଟା ହୋଇପାରିଲା ନାହିଁ। ଅଥଚ ଶହଶହ ଏକର ସରକାରୀ ଜମି ଏବେ ମୁଷ୍ଟିମେୟ ଲୋକ ନିଜ କବ୍‌ଜାରେ ରଖିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସହରବାସୀଙ୍କ ସମସ୍ୟା ସମାଧାନ କରିବା ସହିତ ସରକାରଙ୍କ ‌ଶହ ଶହ କୋଟି ଟଙ୍କାର ଜମି ସୁରକ୍ଷିତ ରଖିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର