ଭୁବନେଶ୍ବର: ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ ହୋଇଛି। ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗଷ୍ଟ ୨୦ ତାରିଖରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ଏମାନଙ୍କର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥି ମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ସର୍ଭେ ଚାଲିଛି । ଏହି ୧୧ଟି ଗାଁର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ।
ସେହିପରି ଗଞ୍ଜାମ ଜିଲ୍ଲା ସୋରଡ଼ା ତହସିଲର ୨୨ଟି ଗାଁର ଜମି ୧୯୮୩ ମସିହାରେ ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା। ଆଜି ୧୭ଟି ଗାଁର ଜମି ରାଜସ୍ବ ବିଭାଗକୁ ଯାଇଛି ଏବଂ ସେଗୁଡ଼ିକର ବନ୍ଦୋବସ୍ତ ଚାଲିଛି । ଏମାନଙ୍କ ମଧ୍ୟରୁ ୯୬୨ ଜଣଙ୍କୁ ଆଜି ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ମୁଖ୍ୟମନ୍ତ୍ରୀ ବଣ୍ଟନ କରିଛନ୍ତି। ଅଗଷ୍ଟ ମାସ ୨୬ ଓ ୨୭ରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ପରେ ଏଠାରେ ସର୍ଭେ କାମ ତ୍ବରାନ୍ବିତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଓ ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ନିଷ୍ଠାପର ଉଦ୍ୟମ କରିଆସିଛି । ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ଼ ସଫଳତା। ଜମିପଟ୍ଟା ପାଇବା ଦ୍ବାରା ଆପଣମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା। ଖୁବ୍ ଶୀଘ୍ର ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
୧୦୦ ବର୍ଷର ସମସ୍ୟାର ସମାଧାନ
ଲଖନପୁରର ୯୦୦ ପରିବାର, ସୋରଡ଼ାର ୧୬୬୨ ଲୋକ ଉପକୃତ
ଗଞ୍ଜାମର ୧୮ ହଜାରଙ୍କୁ ମିଳିବ ଗ୍ରାମକଣ୍ଠ ପଟ୍ଟା
ଆପଣମାନଙ୍କ ଖୁସି ମୋର ସଫଳତା: ମୁଖ୍ୟମନ୍ତ୍ରୀ
ଶ୍ରୀ ପଟ୍ଟନାୟକ ପୁଣି କହିଥିଲେ ଯେ ଲଖନପୁର ଓ ସୋରଡ଼ା ତହସିଲର ଲୋକମାନଙ୍କ ବହୁ ଦିନର ଜମିବାଡ଼ି ସମସ୍ୟା ଦୂର ହୋଇଥିବାରୁ ସେ ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ମୋ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଆପଣଙ୍କ ଅଞ୍ଚଳକୁ ଯାଇ ଆପଣମାନଙ୍କୁ ଭେଟିଥିଲେ ଓ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ମୋତେ ଏହି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ସାଧାରଣ ଲୋକଙ୍କ ହିତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଖୁବଶୀଘ୍ର ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ସାଧାରଣ ଲୋକଙ୍କ ସ୍ୱାର୍ଥ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁ ବହୁ ବର୍ଷର ସମସ୍ୟା ସମାଧାନ ହୋଇପାରିଛି। ଲଖନପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଯୋଗ ଦେଇଥିଲେ। ସୋରଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଶୋୟୀ ଓ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ।