ଭୁବନେଶ୍ବର: ପଥର ଭାସ୍କର୍ଯ୍ୟରେ ଝଲସୁଛି ଶ୍ରୀକ୍ଷେତ୍ର। ଶ୍ରୀସେତୁଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ, ସବୁଠି ବାରି ହୋଇପଡ଼ୁଛି ଭାସ୍କର୍ଯ୍ୟ ଶିଳ୍ପୀଙ୍କ ନିଖୁଣତା। ଶ୍ରୀଚୈତନ୍ୟଙ୍କ ଭକ୍ତି ବିଭୋର ମୁଦ୍ରା ହେଉ ଅଥବା ଦୁଇ ଭାଇଙ୍କ କାଞ୍ଚି ଅଭିଯାନ। ବଳରାମ ଦାସଙ୍କ ବାଲି ରଥ ଗଢ଼ିବାର ଦୃଶ୍ୟଠାରୁ ଆରମ୍ଭ କରି ପତିତପାବନ ବାନା, ଗରୁଡ଼, କୁଡ଼ୁଆ, ତାଳପତ୍ର ଭୋଗେଇ, ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମ, କଠଉ ପରି ଶ୍ରୀମନ୍ଦିର ସହ ଜଡ଼ିତ ପ୍ରତିଟି ସାମଗ୍ରୀର ଭାସ୍କର୍ଯ୍ୟ ଶ୍ରୀସେତୁର ଉଭୟ ପାର୍ଶ୍ବରେ ଶୋଭା ପାଉଛି। ପଥରରେ ନିର୍ମିତ ସିଂହ ମୂର୍ତ୍ତି ଭକ୍ତଙ୍କୁ ସ୍ବାଗତ କରୁଛି। କିଛି ଭାସ୍କର୍ଯ୍ୟ ସ୍ବଳ୍ପ ସ୍ଥାନରେ ପଥର ଉପରେ ଏଭଳି ଦଣ୍ଡାୟମାନ ହୋଇଛି, ଯାହାକୁ ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେ ନାହିଁ। ୩୦ରୁ ଅଧିକ ପଥର କଳାକୃତି ଶ୍ରୀସେତୁର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ଶ୍ରୀମନ୍ଦିର ପରିକ୍ରମାରେ ଭାସ୍କର୍ଯ୍ୟ ସ୍ବତନ୍ତ୍ର ସ୍ଥାନ ନେଇଛି।

Advertisment

ଶ୍ରୀମନ୍ଦିର ଚାରିପାଖରେ ଥିବା ୧୭ ମଠର ସୌନ୍ଦର୍ଯ୍ୟୀକରଣ ହୋଇଛି। ସମସ୍ତ ମଠରେ ଉତ୍କଳୀୟ କଳା, ସଂସ୍କୃତି ଓ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଝଲସୁଛି। ବଡ଼ଦେଉଳ ଚତୁଃପାର୍ଶ୍ବରେ ପଥର ପକାଯାଇ ପରିକ୍ରମା‌କୁ ଅଧିକ ଆକର୍ଷଣୀୟ କରାଯାଇଛି। ମଠଗୁଡ଼ିକର କାମ ଶେଷ ହୋଇଯାଇଥିଲେ ମଧ୍ୟ କିଛି ସ୍ଥାନରେ ଭଗବାନଙ୍କୁ ସ୍ଥାପନ କରାଯାଇନାହିଁ। ଆଉ କିଛି ମଠରେ ମହନ୍ତମାନେ ଇତିମଧ୍ୟ‌ରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ପରିବର୍ତ୍ତନର ଏହି ଧାରାରେ ସାମିଲ ହୋଇଥିବାରୁ ସେମାନେ ଖୁସିବ୍ୟକ୍ତ କରିଛନ୍ତି। ମଙ୍ଗୁ ମଠ, ଛାଉଣୀ ମଠ, ବଡ଼ଛତା ମଠ, ଲଙ୍ଗୁଳି ମଠ, ନରସିଂହ ଆଚାରି ମଠ, ବଡ଼ ଆଖଡା ମଠ, ଉତ୍ତର ପାର୍ଶ୍ବ ମଠ, ଦକ୍ଷିଣ ପାର୍ଶ୍ବ ମଠ, ରେବେସା ମଠ, ତ୍ରିମାଳୀ ମଠ, ତୋରାଣୀ ଛତ୍ର ମଠ, ପଞ୍ଜାବୀ ମଠ, ରାଧାବଲ୍ଲଭ ମଠ, କଟକୀ ମଠ, ସାନଝାଡୁ ମଠ, ବଳରାମ କୋଟ, ଶଙ୍ଖଚକ୍ର ମଠର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପୂର୍ଣ୍ଣାଙ୍ଗ ରୂପ ନେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପଣ ହେବା ପରେ ମଠଗୁଡ଼ିକର ଆକର୍ଷଣ ଆହୁରି ବଢ଼ିଛି। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଜାଣିବା ପାଇଁ ମଠଗୁଡ଼ିକର ନାମ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖାଯାଇଛି। ଫୁଲରେ ସୁସଜ୍ଜିତ ହୋଇଥିବା ମଠଗୁଡ଼ିକରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବିଶ୍ରାମ ନେଇ ନିଜକୁ ଧନ୍ୟ ମନେକରୁଛନ୍ତି। ରାତିରେ ମଠଗୁଡ଼ିକର ଶୋଭା ଆହୁରି ବଢ଼ିଯାଉଛି।

ଶ୍ରୀମନ୍ଦିର ପ୍ରଶାସନର କହିବା କଥା ହେଉଛି ଯେ ମଠଗୁଡ଼ିକର ଶହ ଶହ ବର୍ଷର ପୁରୁଣା ପ୍ଲାଷ୍ଟର ଛଡ଼ାଯାଇ ନୂଆ ଖଣ୍ଡେଲାଇଟ୍‌ ପଥର ବ୍ୟବହାର କରାଯାଉଛି। ପଥରର ସିଂହ ମୂର୍ତ୍ତି, ଖଣ୍ଡେଲାଇଟ ପଥର ଚଟାଣ, ପ୍ରବେଶ ପଥ ଦ୍ୱାରକୁ ବର୍ମାଟିକ କାଠରେ ଆକର୍ଷଣୀୟ ଭାବେ ଲଗାଯାଉଛି। ସେହିପରି ମଠଗୁଡ଼ିକର ଯେଉଁଠି ଦୁର୍ବଳ ସ୍ଥାନ ରହିଛି ତାହାର ମରାମତି କରାଯାଇ ସୁଦୃଢ଼ କରାଯାଉଛି। କଳିଙ୍ଗ ସ୍ଥାପତ୍ୟ ଶୈଳୀ, ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ ଆଧାରିତ ଡିଜାଇନ ଅନୁସାରେ ନବୀକରଣ ହୋଇଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ପର୍ଯ୍ୟନ୍ତ ପଥର ବିଛା ଯାଇଛି। ସମ୍ଭବତଃ ସ୍ବାଧୀନତା ପରେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ କୌଣସି ମନ୍ଦିର କାର୍ଯ୍ୟରେ ଏଭଳି ପଥର ଭାସ୍କର୍ଯ୍ୟର ବ୍ୟବହାର କରାଯାଇଛି।