ଦଶପଲ୍ଲା : ଯାତ୍ରୀଙ୍କ ପାଇଁ ଏବେ ବି ଟଳିନି ବିପଦ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଜାମୁସାହି ନିକଟସ୍ଥ ବାଣିବିରି ଘାଟିରୁ ଏବେ ବି ବଡବଡ ପଥର ଖଣ୍ତ ସହ ମାଟି ଅତଡ଼ା ଖସିବା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।
/sambad/media/post_attachments/wp-content/uploads/2019/08/hill-collapse-f-300x174.jpg)
ସୂଚନାଯୋଗ୍ୟ, ଗତବର୍ଷ ଲଗାଣ ବର୍ଷାକୁ ନେଇ ଏହି ଘାଟିରୁ ବାରମ୍ବାର ମାଟି ଅତଡ଼ା ସାଙ୍ଗକୁ ପଥରଖଣ୍ତ ଖସିଥିଲା। ଘଂଟାଘଂଟା ଧରି ଜାତୀୟ ରାଜପଥ ଅବରୋଧ ହୋଇ ଯାତ୍ରୀମାନଙ୍କୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେତେବେଳେ ସକାଳୁ ତ ପୁଣି କେତେବେଳେ ବିଳମ୍ବିତ ରାତ୍ରୀରେ ଏହି ମାଟି ଅତଡ଼ା ଓ ପଥରଖଣ୍ତ ଖସିବା ଫଳରେ ଜଙ୍ଗଲ ମଧ୍ୟରେ ଶହ ଶହ ଯାନବାହନ ଅଟକି ରହିବା ସହ ବିଧାୟକ ଏବଂ ମନ୍ତ୍ରୀଙ୍କୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଥିଲା। ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ବେପରୁଆ କାର୍ଯ୍ୟକୁ ନେଇ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ମୁଣ୍ତବ୍ୟଥା ପାଲଟିଥିଲା। ନିଜେ ତତ୍କାଳୀନ ଜିଲ୍ଲାପାଳ ଡା. ଏନ୍ ତିରୁମାଲା ନାୟକଙ୍କ ସହ ବିଭିନ୍ନ ବିଭାଗୀୟ ପଦାଧିକାରୀ ଗତ ସେପ୍ଟେମ୍ବରରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସଂପୃକ୍ତ ଠିକାସଂସ୍ଥା ଉପରେ ବଷିର୍ଥିଲେ। ଏପରିକି ବିଭାଗୀୟ ଅଧିକାରୀମାନେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ହୋଇନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପାହାଡ଼ର ଉଭୟ ପାର୍ଶ୍ବରେ ୱାଲ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଠିକାସଂସ୍ଥା ୱାଲ୍ ନିର୍ମାଣ କରିଥିଲା। ମାତ୍ର ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯେତିକି ଦୀର୍ଘ ଓ ଉଚ୍ଚତାର ୱାଲ୍ ନିର୍ମାଣ ହେବା କଥା ତାହା ହୋଇ ନଥିବା ବେଳେ ନାମକୁ ମାତ୍ର ଅଳ୍ପ କିଛି ୱାଲ୍ ନିର୍ମାଣ କରିଦେଇ ସଂପୃକ୍ତ ଠିକାସଂସ୍ଥା କାର୍ଯ୍ୟ ଶେଷ କରିଦେଇଥିବା ଦେଖିବାକୁ ମିଳିଛି। ଏବେ କିନ୍ତୁ ଚଳିତ ବର୍ଷ ସମାନ ଅବସ୍ଥା ଦେଖିବାକୁ ମିଳିଛି। କିଛି ଦିନ ତଳର ଲଗାଣ ବର୍ଷାକୁ ନେଇ ପାହାଡ଼ରୁ ବଡବଡ ପଥର ଖଣ୍ତ ସହ ମାଟି ଅତଡ଼ା ଖସିବା ଆରମ୍ଭ ହୋଇଯାଇଛି। ବଡବଡ ପଥର ମାନ ରାସ୍ତାକୁ ଖସି ଆସିଥିବା ବେଳେ ମାଟି ଅତଡ଼ା ଓ ପଥରଖଣ୍ତମାନ ଏବେ ବି ରାସ୍ତା ଉପରକୁ ଧସି ରହିଥିବା ଦେଖିବାକୁ ମିଳିଛି। ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/balangir-nh-bkf.jpg)