ଭଞ୍ଜନଗର/ଘୁ.ଉଦୟଗିରି: ବାଦଲଫଟା ବର୍ଷା ଯୋଗୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟିରେ ଆଜି ଅପରାହ୍ଣରେ ବଡ଼ଧରଣର ଭୂସ୍ଖଳନ ଘଟିଛି। ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ଼ ପଥର ଓ ମାଟି ଅତଡ଼ା ଖସି ୧୫୭ ନମ୍ବର ଜାତୀୟ ରାଜପଥକୁ ମାଡ଼ି ଆସିଛି। ଫଳରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ଏଥିସହ ପ୍ରବଳ ବେଗରେ ପାହାଡ଼ର ଝରଣା ପାଣି ମଧ୍ୟ ପ୍ରବାହିତ ହେଉଛି। ପ୍ରଖର ସ୍ରୋତ ଯୋଗୁ ଯାତାୟାତ ପାଇଁ ରାସ୍ତା ବିପଦପୂର୍ଣ୍ଣ ପାଲଟିଛି। ଭୂସ୍ଖଳନ ହୋଇଥିବା ସ୍ଥାନରେ ପ୍ରାୟ ୪୦ରୁ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି। ମଝିରେ ମଝିରେ ପଥର ଖସୁଛି। ଏବେବି ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ବିପଦପୂର୍ଣ୍ଣ ରହିଛି। ଘାଟିର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି। ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଆତଙ୍କିତ ହୋଇ ରହିଛନ୍ତି।
ଆଜି ଅପରାହ୍ଣରେ ପ୍ରବଳ ବର୍ଷା ପରେ ପାହାଡ଼ ଉପରୁ ମାଟି ଅତଡ଼ା ଓ ପଥର ଖସିଆସିଥିଲା। ୪୦ରୁ ୫୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା। ଭୂସ୍ଖଳନ ସମୟରେ କିଛି ଗାଡ଼ି ଯାଉଥିବା ବେଳେ ସୌଭାଗ୍ୟବଶତଃ ଚାଳକ ରକ୍ଷା ପାଇ ଯାଇଥିଲେ। ତେବେ ଜଣେ ବାଇକ୍ ଚାଳକ ଏଥିରେ ଆହତ ହୋଇଛନ୍ତି। ବାଇକ୍ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ଘାଟିର କିଛି ତଳକୁ ଖସିଯାଇଥିଲା। ସ୍ଥାନୀୟ ଲୋକ ବାଇକ୍ ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଭଞ୍ଜନଗର ପୁଲିସ, ଘୁ.ଉଦୟଗିରି ଥାନାଧିକାରୀ ବିଜୟ କୁମାର ସ୍ବାଇଁ ଏବଂ ଅଗ୍ନିଶମବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଅନ୍ୟପକ୍ଷରେ ମାଟି ଅତଡ଼ା ଖସି ରାସ୍ତା ବନ୍ଦ କାରଣରୁ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରୁ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ଧର୍ମଗଡ଼, ମାଲକାନଗିରି, ଜୟପୁର, କୋରାପୁଟ, ରାୟଗଡା, ନବରଙ୍ଗପୁର, ଛତିଶଗଡ଼ର ରାୟପୁର ଭଳି ବିଭିନ୍ନ ସହରକୁ ଯାତାୟାତ ଠପ୍ ହୋଇଯାଇଛି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ମାଟିପଥର ବାହାର କରିବା ଏବେ ଚିନ୍ତାର କାରଣ ପାଲଟିଛି। କଳିଙ୍ଗାଘାଟିରେ ଏତେ ବଡ଼ ଭୂସ୍ଖଳନ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବୋଲି କିଛି ବରିଷ୍ଠ ନାଗରିକ କହିଛନ୍ତି।