ତେଲକୋଇ: କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିରେ ଭୂସ୍ଖଳନ ହେବାରୁ ପାହାଡ଼ ଧସି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ପାଖାପାଖି ୫୦ ମିଟର ରାସ୍ତା ଉପରେ ପାହାଡ଼ ଧସିଥିବାରୁ ଯାନବାହନ ଚଳାଚଳ ୧୦ ଘଣ୍ଟା ବନ୍ଦ ରହିଥିଲା। ଏହି ରାଜପଥ ସିଧାସଳଖ କୋଲକାତା ଓ ମୁମ୍ବାଇ ସହିତ ଯୋଗାଯୋଗ କରୁଥିବାରୁ ବହୁ ସଂଖ୍ୟାରେ ଭାରୀଯାନ ଉଭୟ ପାର୍ଶ୍ବରେ ଅଟକି ରହିଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଗତକାଲି ବିଳମ୍ବିତ ରାତିରେ କାଞ୍ଜିପାଣି ଥାନାଠାରୁ ୧ କିଲୋମିଟର ଦୂର ଜଗସାହି ନିକଟରେ ପାହାଡ଼ ଧସିଯାଇଥିଲା। ରାସ୍ତା ଉପରେ ବଡ଼ ପଥର ମାଟି ଓ ଗଛ ବିଛାଇ ହୋଇଯାଇଥିଲା। ଫଳରେ ଚାରିଲେନ୍ ବିଶିଷ୍ଟ ଏହି ରାସ୍ତାରେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।
କାଞ୍ଜିପାଣି ପୁଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ବାରା ଗୋଟିଏ ଲେନ୍କୁ ସଫା କରିବା ପରେ ଅପରାହ୍ଣ ୩ଟା ବେଳକୁ ବିପଦ୍ଜନକ ଅବସ୍ଥାରେ ଗାଡ଼ି ଚଳାଚଳ କରିଥିଲା। ତେବେ ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଏବଂ ଆଉ ୩/୪ଟି ସ୍ଥାନରେ ଅତଡ଼ା ଖସିବାରୁ ୩ଟା ପରେ ପୁଣି ରାଜପଥ ବନ୍ଦ ରହିଥିଲା। ୧୫ କିଲୋମିଟର ପର୍ଯ୍ୟନ୍ତ ଘାଟି ଜାମ୍ ଥିବାବେଳେ ଘାଟିରେ ଫସିଥିବା ଗାଡ଼ି ଚାଳକ ଓ ଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ପାଣି ସମସ୍ୟା ଦେଖାଦେଇଥିଲା। ବାଂଶପାଳ ତହସିଲଦାର ବିକାଶ ଚନ୍ଦ୍ର ସାହୁ କହିଛନ୍ତି, ଗୋଟିଏ ପାର୍ଶ୍ବ ରାସ୍ତା ସଫା କରାଯିବା ପରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/25/dggdcvcvcv-2025-08-25-04-06-16.jpg)