ମାଲକାନଗିରି: ଆଜି ସକାଳୁ ପୁଣି ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ। ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ପୁଣି ବିଭିନ୍ନ ଅଂଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏପରିକି କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବାୟାପଡା ଏବଂ ଅରିଙ୍ଗି ମଧ୍ୟରେ ଥିବା ରାସ୍ତାରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଉପରେ ପାହାଡ଼ ଧସି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଏପରିକି ରାସ୍ତାରେ ଘାଇ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକେ କାଠର ଏକ ବ୍ରିଜ ମଧ୍ୟ ନିର୍ମାଣ କରିଛନ୍ତି। ସେହି କାଠ ବ୍ରିଜ ଉପରେ ବିପଦପୂର୍ଣ୍ଣ ଭାବେ ଜୀବନକୁ ବାଜି ଲଗାଇ ଲୋକେ ଯିବା ଆସିବା କରୁଛନ୍ତି।
ସେହିପରି ରାସ୍ତା ଉପରେ ପାହାଡ଼ ଧସି ହୋଇ ପଡିଥିବା ବେଳେ କେବଳ ଚାଲି ଯିବାକୁ ହିଁ ରାସ୍ତା ରହିଛି। ତାହା ମଧ୍ୟ ଅତି ସତର୍କତାର ସହ ଯିବାକୁ ପଡୁଛି। ଗୋଡ ଖସିଲେ ପଚାଶ ଫୁଟ ତଳକୁ ଖସିବା ସହ ମୃତ୍ୟୁବରଣ ମଧ୍ୟ ହୋଇପାରେ। ଲଗାଣ ବର୍ଷାରେ ଏଭଲି ସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନ ଏବେ ତତ୍ପରତା ଦେଖାଇଛି। ଜିଲ୍ଲାପାଳ ଏନେଇ ଅବଗତ ହେବା ପରେ ତୁରନ୍ତ ଏହି ରାସ୍ତାକୁ ମରାମତି କରିବାକୁ ନର୍ଦେଶ ଦେଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଏହି ରାସ୍ତାରେ ଯିବା ଆସିବା କରିବାର ଦୃଶ୍ୟ ନିଜ ମୋବାଇଲରେ ଉତ୍ତୋଳନ କରି ଭାଇରାଲ କରିବା ପରେ ଭୁସ୍ଖଳନ ସଂପର୍କରେ ସମସ୍ତେ ଅବଗତ ହୋଇଥିଲେ।
ଅନ୍ୟଦିଗରେ ବର୍ଷାରେ ପୁଣି ୩୨୬ ଜାତୀୟ ରାଜପଥ ଉପରେ ରହିଥିବା କାଙ୍ଗରୁକୋଣ୍ଡା ବ୍ରିଜ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଥିବାରୁ ପୁଣି ମାଲକାନଗିରି ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି।ଚଳିତ ବର୍ଷାରେ ଜିଲ୍ଲାବାସୀ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବର୍ଷାର ରିପୋର୍ଟ ଅନୁଯାୟୀ ମାଲକାନଗିରି ବ୍ଲକରେ ୪୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଥିଲି ବ୍ଲକରେ ୯୦ ମିଲିମିଟର, ଖଇରପୁଟ ବ୍ଲକରେ ୬୫ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୫୫ ମିଲିମିଟର, କୋରକୋଣ୍ଡା ବ୍ଲକରେ ୩୨ ମିଲିମିଟର, କାଲିମେଳା ବ୍ଲକରେ ୭୮ ମିଲିମିଟର, ପଡ଼ିଆ ବ୍ଲକରେ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ ୪୦୯ ମିଲିମିଟର ବର୍ଷା ହୋଇଥିବା ବେଳେ ୫୮.୫ ମିଲିମିଟର ଏଭେରେଜ ରହିଛି। କେବଳ ଜାତୀୟ ରାଜପଥ ନୁହେଁ ବରଂ ଜିଲ୍ଲାର ବହୁ ଅଂଚଳରେ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା କୁହାଯାଇଛି।