କୋରାପୁଟ: କିରଣ୍ଡୁଲ-କୋରାପୁଟ ରେଳ ଲାଇନ୍ର ମାଳିଗୁଡ଼ା-ଜରଟି ଷ୍ଟେସନ୍ ମଧ୍ୟରେ ଭୂସ୍ଖଳନ ଘଟିଛି। ମାଟି ଅତଡ଼ା ରେଳଧାରଣା ଉପରେ ପଡ଼ିବା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ, ଭୁବନେଶ୍ବର- ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଏବଂ କିରଣ୍ଡୁଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସ୍ ଚଳାଚଳକୁ ବାତିଲ କରାଯାଇଛି। ସେହିପରି ଜଗଦଲପୁର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ମାଳିଗୁଡ଼ା ଷ୍ଟେସନରେ ଅଟକି ରହିବା ପରେ ପୁଣି ଜଗଦଲପୁର ଅଭିମୁଖେ ଫେରି ଯାଇଛି। ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ନିୟୋଜିତ ହୋଇଛନ୍ତି ଟିମ୍। କୋରାପୁଟ ଓ ଜୟପୁରରେ ରହୁଥିବା ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ୩ ଦିନ ଧରି କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ହାରାହାରି ୭୫.୮୯ ମିମି ବର୍ଷା ରେକର୍ଡ କରାଯାଇଛି।
ଜୟପୁର ବ୍ଲକରେ ସର୍ବାଧିକ ୧୪୧.୮ ମିମି ଏବଂ କୋରାପୁଟ ବ୍ଲକରେ ୧୧୫.୮ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷା କାରଣରୁ ବୁଧବାର ଅପରାହ୍ଣ ୩ଟାରେ ମାଳିଗୁଡ଼ା-ଜରଟି ଷ୍ଟେସନ ନିକଟରେ ରେଳ ଲାଇନ୍ ପାର୍ଶ୍ବରେ ଥିବା ପାହାଡ଼ ଧସିଥିଲା। ପାହାଡ଼ର ମାଟି ରେଳ ଧାରଣା ଉପରେ ପଡ଼ିବା ଯୋଗୁଁ ରେଳ ଚଳାଚଳ ବ୍ୟାହତ ହୋଇଛି। ପାହାଡ଼ରୁ ମାଟି ଅତଡ଼ା ଧସିବା ପରେ ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡ ତୁରନ୍ତ ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରିଥିଲେ। ଏହି ସମୟରେ ଜଗଦଲପୁରରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍ ଜଗଦଲପୁରରୁ ବାହାରି ମାଳିଗୁଡ଼ା ପର୍ଯ୍ୟନ୍ତ ଆସିଥିଲା। ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତିତା ଲାଗି ରହିଥିବାରୁ ଟ୍ରେନ୍ ଜଗଦଲପୁର ଅଭିମୁଖେ ଫେରି ଯାଇଛି। ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି।