କୋଇଡ଼ା: ଲଘୁଚାପଜନିତ ଲଗାଣବର୍ଷାରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳର ଜାତୀୟ ରାଜପଥ ଉପରେ ଭୂସ୍ଖଳନ ହେଉଥିବା ମଙ୍ଗଳବାର ବି ଦେଖିବାକୁ ମିଳିଛି। ଖଣି ଅଞ୍ଚଳର ଲାଇଫ୍ ଲାଇନ୍ କୁହାଯାଉଥିବା ୫୨୦ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡା-କୋଇଡ଼ା ରାସ୍ତାର ତୋଡ଼ା, ଚୁନାଘାଟି ନିକଟରେ ଭୂସ୍ଖଳନ ହେଉଛି।
ବର୍ଷାଜଳ ସ୍ରୋତରେ ରାସ୍ତା ଉପରକୁ ବଡ଼ବଡ଼ ପଥର ସାଙ୍ଗକୁ ପାହାଡ଼ର ମାଟି ଚାଲି ଆସିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବର୍ଷାଜଳର ସ୍ରୋତ ଏତେ ତୀବ୍ର ରହିଛି ଯେ ପାହାଡ଼ରୁ ପଥର ଭାସିଆସି ରାସ୍ତା ଉପରେ ପଡୁଛି। ଏମିତିକି ଗାର୍ଡୱାଲ୍ ଭାଙ୍ଗିପଡ଼ି ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହାୟତାରେ ରାସ୍ତାରୁ ପଥରଗୁଡ଼ିକ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ପ୍ରଚେଷ୍ଟା ଜାରି ରହିଛି।