ଫୁଲବାଣୀ: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବାଦଲ ଫଟା ଓ ଲଗାଣ ବର୍ଷା ଯୋଗୁ ଘାଟି ରାସ୍ତାମାନଙ୍କରେ ଭୂସ୍ଖଳନ ଘଟି ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିବା ବେଳେ ଏହି ଭୟ କନ୍ଧମାଳ ଜିଲ୍ଲାକୁ ଗ୍ରାସିଛି। ଗତ ମାସେରୁ ଊର୍ଦ୍ଧ୍ବ କାଳ ଧରି ଏଠାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ କେତେକ ସ୍ଥାନରେ ଘରଦ୍ବାର ଭାଙ୍ଗି ଯାଇଥିବା ବେଳେ ଘାଟିରାସ୍ତାଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଛି। ଅନେକ ଘାଟିରୁ ମାଟି ଅତଡ଼ା ଖସିବା ଯୋଗୁ ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷାରେ ରାଇକିଆ ଓ ସୋରଡ଼ାକୁ ସଂଯୋଗ କରୁଥିବା କରଡ଼ା ଘାଟି ଏବଂ ଫୁଲବାଣୀ ଓ ବୌଦ୍ଧକୁ ସଂଯୋଗ କରୁଥିବା ରାଣୀପଥର ଘାଟିର କେତେକ ସ୍ଥାନରେ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି।
ସେହିଭଳି ଭେଟଖୋଲ ଘାଟି ରାସ୍ତା ବିପଦସଂକୁଳ ଅବସ୍ଥାରେ ରହିଛି। ଦାରିଙ୍ଗିବାଡ଼ି ଓ ସୋରଡ଼ା ମଧ୍ୟରେ ଥିବା ସାତବାଙ୍କିଆ ଘାଟିରେ ମଧ୍ୟ କେତେକ ସ୍ଥାନରେ ଭୂସ୍ଖଳନ ହୋଇଛି। କଣ୍ଟାମାଳ ଓ ଗୋଚ୍ଛାପଡ଼ା ମଧ୍ୟରେ ଥିବା ସୁଟାଣି ଘାଟି, ଫିରିଙ୍ଗିଆର ପକାରିଘାଟି ଓ ବିଲୁରି ଘାଟି ଲଗାଣ ବର୍ଷା ଯୋଗୁ ବିପଦସଂକୁଳ ହୋଇପଡ଼ିଛି। ବାଲିଗୁଡ଼ାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ସାତକାଟି ଘାଟି ଓ ଖମନଖୋଲ ଘାଟି ରାସ୍ତାର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। କୋଟଗଡ଼ର ରାଣୀପାଙ୍ଗା ଘାଟି, ବେଲଘର ଘାଟି, ଲଦାଘାଟି, ଚକାପାଦର ଅଠରବାଙ୍କ ଘାଟି, ଲାଇନପଡ଼ାରୁ ଚକାପାଦ ମଧ୍ୟରେ ଥିବା ଗଦଗଦି ଘାଟି ଏବଂ ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁ ମଧ୍ୟରେ ଥିବା ସିଜିଗାଣ୍ଡା ଓ ଟେକାଙ୍ଗିଆ ଘାଟିରେ ମଧ୍ୟ ଭୂସ୍ଖଳନ ହୋଇଛି। ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାର ଏସବୁ ଘାଟି ରାସ୍ତା ଲଗାଣ ବର୍ଷା ଯୋଗୁ ବିପଦସଂକୁଳ ହୋଇ ପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ। ଏହିସବୁ ଘାଟି ରାସ୍ତା ଦେଇ ଦୈନିକ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ଏଣୁ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ସୂଚନା ଦେବା ଜରୁରି ହୋଇପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଇନାହିଁ।
ଆଜି ଜିଲ୍ଲାରେ ମୋଟ ୧୪୩.୨ ମିମି ବର୍ଷା ହୋଇଥିବା ବେଳେ ଗତ ମାସ ୨୮ ତାରିଖରେ ୧୫୦ ମିମି, ୨୭ରେ ୧୫୨ ମିମି, ୨୬ରେ ୨୧୬ ମିମି, ୨୫ରେ ୧୪୪ ମିମି, ୨୪ରେ ୨୦୮ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଫୁଲବାଣୀ ସହର ମଧ୍ୟରେ ଥିବା ବିଭିନ୍ନ ପାହାଡ଼ ଉପରେ ଲୋକେ ଘର ନିର୍ମାଣ କରିଥିବାରୁ ଭୂସ୍ଖଳନ ଭୟ ସୃଷ୍ଟି ହୋଇଛି। ଫୁଲବାଣୀ ସହରର ନାରାୟଣୀ ରୋଡ୍ ଓ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ଥିବା ପାହାଡ଼ ଉପରେ ବହୁ ସଂଖ୍ୟାରେ ଘର ନିର୍ମାଣ କରି ଲୋକେ ରହୁଛନ୍ତି। କନ୍ଧମାଳ ଜିଲ୍ଲାରେ ଉତ୍ତର ଭାରତ ଭଳି ବାଦଲଫଟା ବର୍ଷା ହେଲେ ଭୂସ୍ଖଳନର ଭୟ ରହିଛି। ପ୍ରଶାସନ ଏଦିଗରେ ଧ୍ୟାନ ଦେବାକୁ ବୁଦ୍ଧୀଜୀବୀ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgjjgdjggjgj.jpg)