ପାରଳାଖେମୁଣ୍ଡି/କାଶୀନଗର/ରା.ଉଦୟଗିରି/ଗୋଷାଣୀ: ଗଜପତି ଜିଲ୍ଲାରେ ‘ମୋନ୍ଥା’ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। କାଶୀନଗର ଓ ରା.ଉଦୟଗିରିରେ ଭୂସ୍ଖଳନ, ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି। ରାୟଗଡ଼ ବ୍ଲକ୍‌ ଲକ୍ଷ୍ମୀପୁର ପଞ୍ଚାୟତର ବଡ଼ତପଙ୍ଗ ଗ୍ରାମରେ ବିରାଟକାୟ ତେନ୍ତୁଳି ଗଛ ପଡ଼ି ତିନୋଟି ଘର ଭାଙ୍ଗିଛି। ଖବର ପାଇ ରାୟଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫା କରୁଛନ୍ତି। ଦୁର୍ଘଟଣାରେ ଧନଜୀବନ ହାନି ହୋଇ ନ ଥିବା ବେଳେ ବାତ୍ୟା ପ୍ରଭାବରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ସହିତ ପବନ ଲାଗି ରହିଛି। 
କାଶୀନଗର ବ୍ଲକ ଖାରଡ଼ା ଗ୍ରାମରେ ଲଗାଣ ବର୍ଷା କାରଣରୁ  କିଶୋର ଚନ୍ଦ୍ର ଚୌଧୁରୀ ଓ କୈଳାସ ଚନ୍ଦ୍ର ଚୌଧୁରୀଙ୍କ ଘର ଭୁଶୁଡ଼ି ପଡ଼ିଛି। ସରପଞ୍ଚ ଅଖିଳ ପାତ୍ର ପ୍ରଶାସନକୁ ସୂଚନା ଦେବା ପରେ ସେମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ତହସିଲଦାର ସୁଧୀର କୁମାର ନନ୍ଦ ଓ ବିଡିଓ ଡମ୍ବରୁଧର ମଲ୍ଲିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାର୍ତ୍ତଡ଼ା ପଞ୍ଚାୟତ ଲିଙ୍ଗା ଗ୍ରାମରେ ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଗୁମ୍ମା ଓ କାଶୀନଗର ସଂଯୋଗ ରାସ୍ତାରେ ମଧ୍ୟ ଭୂସ୍ଖଳନ ହୋଇ ରାସ୍ତା ଅବରୋଧ ହୋଇ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। କାଶୀନଗର ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲପାଳ ଫାଲ୍‌ଗୁନୀ ମାଝି, ପ୍ରଶାସନିକ ଅଧିକାରୀ ସୁଧୀର କୁମାର ନନ୍ଦ ଓ ବିଡିଓ ଡମ୍ବରୁଧର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା କାର୍ଯ୍ୟ ଆରମ୍ଭ କରିଥିଲେ। କାଶୀନଗର ବ୍ଳକ୍‌ ପାର୍ତ୍ତଡ଼ା ପଞ୍ଚାୟତର ଲିଙ୍ଗା ଗ୍ରାମରେ ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯାଇଛି। ସେହିପରି ଗୁମ୍ମା ଓ କାଶୀନଗର ସଂଯୋଗ ରାସ୍ତାରେ ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କାଶୀନଗର ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲପାଳ ଫାଲ୍‌ଗୁନୀ ମାଝି, ପ୍ରଶାସନିକ ଅଧିକାରୀ ସୁଧୀର କୁମାର ନନ୍ଦ ଓ ବିଡିଓ ଡମ୍ବୁରୁଧର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରାଇଛନ୍ତି। 

Advertisment

ଅପରାହ୍‌ଣ ଗୋଟାଏରେ ରା.ଉଦୟଗିରି ବ୍ଲକ୍‌ ଅନଘା ପଞ୍ଚାୟତର ବଡ଼ଗାଁ ପାହାଡ଼ରୁ ଏକ ବିରାଟ ପଥର ଖସି ରାସ୍ତା ଅବରୋଧ ହୋଇଛି। ଖବର ପାଇ ବିଡିଓ ଲରିମନ ଖର୍ସେଲଙ୍କ ସମେତ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାସ୍ତା ଅତ୍ୟନ୍ତ ଦୁର୍ଗମ ତଥା ପାହାଡ଼ିଆ ହୋଇଥିବାରୁ ପଥର କାଟିବା କିମ୍ବା ସେଠାରୁ ହଟାଇବା ଏକ ଆହ୍ବାନ ହୋଇଛି। ପଥର ଖସି ପଞ୍ଚାୟତରୁ ବଡ଼ଗାଁ ବିଚ୍ଛିନ୍ନ ହୋଇଯାଇଛି। ବିଡିଓ ଓ ପଞ୍ଚାୟତ ଟିମ୍‌ ବିପନ୍ନ ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ବେଳେ ତହସିଲଦାର ଜ୍ୟୋତିର୍ମୟ ଦାସ ଦମକଳବାହିନୀ ସହ ରାସ୍ତା ଉପରେ ପଡିଥିବା ବଡ଼ ବଡ଼ ଗଛକାଟି ସଫା କରିଛନ୍ତି। ରା.ଉଦୟଗିରି ବ୍ଲକ୍‌ରେ ୪୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ୨୪୧୯ଜଣ ଆଶ୍ରୟ ନେଇଛନ୍ତି ଏବଂ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ସମୁଦାୟ ୨୨ଜଣ ଗର୍ଭବତୀଙ୍କୁ ମଧ୍ୟ ସୁରକ୍ଷିତ ଭାବେ ମା’ଗୃହକୁ ସ୍ଥାନାନ୍ତର କରାଯାଇଛି। ଏନ୍‌ଡିଆରଏଫ୍‌ ତୃତୀୟ ବାଟାଲିୟନ ଟିମ୍‌ କମାଣ୍ଡର ପ୍ରଭାତ ଯାଦବଙ୍କ ନେତୃତ୍ୱରେ ଏଠାରେ ଟିମ୍‌ ନିୟୋଜିତ ରହିଛି। ବିଭିନ୍ନ ପଞ୍ଚାୟତରେ ୧୫ଟି ଆଶ୍ରୟସ୍ଥଳୀ ଖୋଲାଯାଇ ୨୨୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିବା ନୋଡାଲ୍‌ ଅଧିକାରୀ ତଥା ଜଳବିଭାଜିକା ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।