ରାୟଗଡ଼ା(ଶିବ ପ୍ରସାଦ ଦୋରା): ଗତ ୨୪ ଘଣ୍ଟା ଧରି ରାୟଗଡ଼ା ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାୟଗଡ଼ା ସହର ଅଧିଷ୍ଟ୍ରାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିର ନିକଟରେ ଲଗାଣ ବର୍ଷା ହେବା ଫଳରେ ପାହାଡ଼ ଧସି ରେଳବାଇ ଟ୍ରାକ ଉପରେ ପଥର ପଡିଥିବା ଦେଖିବାକୁ ମିଳିଛି।
ପହାଡ଼ରେ ଭୁସ୍ଖଳନ ହେବା ଯୋଗୁଁ ବଡ଼ବଡ଼ ପଥର ଟ୍ରେନ୍ ଟ୍ରାକ୍ ଉପରେ ପଡ଼ିଛି। ଫଳରେ ଟ୍ରାକ୍ ଭାଙ୍ଗିଯିବା ସହ ଏହାର ଉପରେ ମାଟି ଅତଡା ଜମା ହୋଇରହିଛି। ଫଳରେ ବିଶାଖାପାଟଣା ଠାରୁ ରାୟଗଡ଼ା ଦେଇ ଯାଉଥିବା ରେଳବାଇ ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥବା ଜଣାପଡ଼ିଛି। ବିଭାଗ ସିଙ୍ଗଲ ଲାଇନରେ ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି।
ଘଟଣା ପରେ ରାୟଗଡ଼ା ଡିଭିଜନର ଡିଆରଏମ ଅମିତାଭ୍ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି। ଲଗାଣ ବର୍ଷା ହେବା ଫଳରେ ରାୟଗଡ଼ା ବ୍ଲକ ପିପଲଗୁଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମର କାୟଲା ମାଣ୍ଡାଙ୍ଗିଙ୍କ ଘର ଭୁଷୁଡ଼ି ପଡ଼ିଛି। ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି।
ପିପଲଗୁଡ଼ା ଅଞ୍ଚଳରେ ଭୁସ୍ଖଳନ ଘଟି ପିଏମଜିଏସୱାଇ ରାସ୍ତା ଉପରେ ମାଟି ଅତଡା ଖସିଥିବା ଦେଖିବାକୁ ମିଳିଛି। ସେହିଭଳି ଗୁଣପୁର ବ୍ଲକ ଟିଟିମିରି ପଞ୍ଚାୟତରେ ଟିଟିମିରି ଠାରୁ ଭୀମପୁରଗୁଡ଼ା ସଂଯୋଗ କରୁଥିବା ମାଟି ରାସ୍ତା ଧୋଇ ହୋଇଯାଇଛି। ଫଳରେ ଉଭୟ ଗ୍ରାମକୁ ସଂଯୋଗ ବିଛିନ୍ନ ହୋଇଯାଇଥିବା ଜଣାପଡ଼ିଛି। ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ନାଳଗୁଡ଼ିକରେ ପାଣି ଆସିବା ଯୋଗୁଁ ଜିଲ୍ଲାରେ ଗ୍ରାମାଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଛି। ଗୁଣପୁର ବ୍ଲକ ପୁଟାସିଂ ବାଳିକା ହଷ୍ଟେଲରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବର୍ଷା ସହ ପବନ ହେଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନାରୁ ଜଣାପଡିଛି।
ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ରାୟଗଡ଼ା ଓ ଗୁଣପୁର ଉପଜିଲ୍ଲାପାଳ, ତହସିଲଦାରମାନଙ୍କୁ କ୍ଷୟକ୍ଷତି ହେଉଥିବା ଅଞ୍ଚଳରେ ବିଶେଷ ଦୃଷ୍ଟି ଦେଇ ସହାୟତା କରିବା ପାଇଁ ନିର୍ଦେଶ ଦେଇଛନ୍ତି। କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିବେଦନ କରିବା ସହ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆରଆଇ ଅମିନ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାରେ ଲଗାଣ ବର୍ଷା ହେବା ଯୋଗୁଁ ଦଶହରା ସଂପୂର୍ଣ ଭାବେ ଫିକା ପଡିଯାଇଛି। ଏପରିକି ବିଭିନ୍ନ ସ୍ଥାନରେ ହେବାକୁ ଥିବା ରାବଣ ଦହନ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି।
Rayagada | Indian Railways