ପୁରୀ: ଟୋଲ୍ ଗେଟ୍ରେ ଧାର୍ଯ୍ୟ ଟୋଲ୍(ଟଙ୍କା) ଦେଇ ଯେ କେହି ପ୍ରବେଶ ମାର୍ଗର ଯେ କୌଣସି ଲେନ୍ ଦେଇ ଯା’ଆସ କରିପାରିବେ। କିନ୍ତୁ ପିପିଲି ଟୋଲ୍ ଗେଟ୍ରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଏଠାରେ ଭିଆଇପିଙ୍କ ପାଇଁ ଏକ ଲେନ୍ ସଂରକ୍ଷିତ ରଖାଯାଇଛି। ଯାହାକୁ ଟୋଲ୍ ଗେଟ୍ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଭିଆଇପି ଲେନ୍ ବୋଲି କହୁଛନ୍ତି। ୫ ମାସ ହେଲାଣି, ଭିଆଇପିଙ୍କ ପାଇଁ ଏହି ଲେନ୍ ସଂରକ୍ଷିତ ରଖାଯାଇଛି। ଅଧିକ ପଚାରିଲେ ଏହି ଲେନ୍ର ବୁ୍ମ୍ ବ୍ୟାରିୟର ଅଚଳ ଅଛି କହି ଚାଳକଙ୍କୁ ଭଣ୍ଡାଯାଉଛି।
ନବକଳେବର ସମୟରେ ପିପିଲି ବାଇପାସ୍ ରାସ୍ତା, ଚନ୍ଦନପୁର ବାଇପାସ୍ ରାସ୍ତା, ବୀରହରେକୃଷ୍ଣପୁର-ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍ ରାସ୍ତା, ସମଯାଜପୁର ଓଭର୍ବ୍ରିଜ୍, ସାକ୍ଷୀଗୋପାଳ ଓଭର୍ବ୍ରିଜ୍ ନିର୍ମାଣ କରାଯାଇଥିଲା। ଏହାର ଭରଣା ପାଇଁ କେନ୍ଦ୍ର ରାଜପଥ ମନ୍ତ୍ରାଳୟ ପିପିଲି ପାଟସାହାଣୀପୁରଠାରେ ଟୋଲ୍ ଗେଟ୍ ବସାଇଛି। ଏଠାରେ ପୁରୀରୁ ଭୁବନେଶ୍ବର ୨୦୩ ଜାତୀୟ ରାଜପଥର ୫୪.୧୫୦ କିଲୋମିଟର ପର୍ଯ୍ୟନ୍ତ ଟୋଲ୍ ଆଦାୟ କରାଯାଉଛି। ଯିବା ଓ ଫେରିବା, ୪ଟି ଲେଖାଏଁ, ମୋଟ୍ ୮ଟି ଲେନ୍ରେ ଟୋଲ୍ ଆଦାୟ ହେଉଛି। ୨୦୧୩ ଫେବ୍ରୁଆରି ୨୬ ତାରିଖରେ ଏହି ଟୋଲ୍ ଗେଟ୍ର ଟୋଲ୍ ଧାର୍ଯ୍ୟ ସଂପର୍କିତ ବିଜ୍ଞପ୍ତି ଜାରି ପରେ ୨୦୧୫ ଅକ୍ଟୋବର ୧୮ରୁ ଏହାର କମର୍ସିଆଲ୍ ଅପରେସନ୍ ଆରମ୍ଭ ହୋଇଛି। ଟୋଲ୍ ଆଦାୟ ଦାୟିତ୍ବ ଓ ଟୋଲ୍ ଗେଟ୍ର ଯନ୍ତ୍ରାଂଶ ପରିଚାଳନା ଦାୟିତ୍ବ ଭିନ୍ନ ଭିନ୍ନ ଘରୋଇ ସଂସ୍ଥାକୁ ଦିଆଯାଇଛି। ୨୦୧୬ ମସିହାରେ ହୋଇଥିବା ଆକଳନ ଅନୁସାରେ ପ୍ରତିଦିନ ଏହି ଟୋଲ୍ ଦେଇ ୨୪ହଜାର ୭୮୬ଟି ଗାଡ଼ି ଯା’ଆସ କରୁଥିଲା। ୨୦୨୪ରେ ଏହି ସଂଖ୍ୟା ୫୦ହଜାର ଡେଇଁଗଲାଣି। କିନ୍ତୁ ଭିଆଇପି ଚର୍ଚ୍ଚା ଆଳରେ ସାଧାରଣ ଲୋକଙ୍କୁ ଭିଡ଼ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି। ଟୋଲ୍ ଗେଟ୍ର ମ୍ୟାନେଜର କହିଛନ୍ତି, ଭୁବନେଶ୍ବର ପାର୍ଶ୍ବରୁ ଟୋଲ୍ ଗେଟ୍ରେ ଆସିବା ବେଳେ ପଡ଼ୁଥିବା ଲେନ୍-୧କୁ ୫ ମାସ ହେଲାଣି ଭିଆଇପିଙ୍କ ନାଁରେ ସଂରକ୍ଷିତ ରଖାଯାଇଛି। ପ୍ରାଶାସନିକ ଅଧିକାରୀ, ପୁଲିସ, ମନ୍ତ୍ରୀ, ନେତା ଏହି ବାଟ ଦେଇ ଯାଉଛନ୍ତି। ଏହି ବାଟ ଦେଇ ଅନ୍ୟ କାହାରିକୁ ଯା’ଆସ ଅନୁମତି ନାହିଁ। ଏଭଳି ଚିଠି ହୋଇଛି କି ପ୍ରଶ୍ନରେ କୌଣସି ଲେନ୍ ଭିଆଇପିଙ୍କ ପାଇଁ ସଂରକ୍ଷିତ ରଖିବାକୁ ସେଭଳି ଚିଠି ହୋଇନଥିବା ମ୍ୟାନେଜର ସ୍ବୀକାର କହିଛନ୍ତି।
୫ ମାସ ହେଲା ଏମିତି ଚାଲିଛି
ଭିଆଇପିଙ୍କ ନାଁରେ ଏଭଳି କୌଣସି ଲେନ୍ ସଂରକ୍ଷିତ ରଖିବା ନିୟମ ବର୍ହିଭୂତ ହୋଇଥିବାବେଳେ ପିପିଲି ଟୋଲ୍ ଗେଟ୍ରେ ଏଭଳି ସ୍ଥିତି ଆଇନକୁ ଉଲ୍ଲଂଘନ କରୁଛି। କିନ୍ତୁ ଏହି ୧ ନମ୍ବର ଲେନ୍ର କ୍ୟାମେରା ଓ ବୁମ୍ ବ୍ୟାରିୟର୍କୁ ଅଚଳ କରି ରଖାଯାଇଛି। ଫଳରେ ଭିଆଇପିଙ୍କୁ ଛାଡ଼ି ଅନ୍ୟ କେତେକଙ୍କୁ ଏହି ଲେନ୍ରେ ଯିବାର ସୁଯୋଗ ଦେଇ ବେଆଇନ୍ ଭାବେ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିୟମାନୁସାରେ, ଯଦି କୌଣସି ଗାଡ଼ିଚାଳକ ଟୋଲ୍ ଗେଟ୍ରେ ଅଧିକ ସମୟ ଅଟକନ୍ତି, ସଂପୃକ୍ତ ଗାଡ଼ି ଚାଳକଙ୍କୁ ଟୋଲ୍ ଛାଡ଼ ହେବା ସହ ପ୍ରତିବଦଳରେ ଟୋଲ୍ କର୍ତ୍ତୃପକ୍ଷ ତାଙ୍କୁ ଜରିମାନା ଆକାରରେ ଟଙ୍କା ଗଣିବେ। ଏହା କୋର୍ଟଙ୍କ ନିର୍ଦ୍ଦେଶ ବି। କିନ୍ତୁ ଭିଡ଼ ବେଳେ ଗାଡ଼ିଚାଳକମାନେ ଅନ୍ୟ ଲେନ୍ରେ ଲମ୍ବା ଧାଡ଼ିରେ ରହିଥିଲେ ବି ଲେନ୍-୧ରେ କାହାରିକୁ ଛଡ଼ାଯାଉନି। ଯନ୍ତ୍ରାଂଶ ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥାର ଯନ୍ତ୍ରୀ ଅଶ୍ବିନୀ କୁମାର ପାଣ୍ଡେ କିନ୍ତୁ ବୁମ୍ ବ୍ୟାରିୟର କି ଅନ୍ୟ କୌଣସି ଯନ୍ତ୍ରାଂଶ ଖରାପ ନାହିଁ ବୋଲି କହିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର ସାଇଟ୍ ଇଂଜିନିୟର ନିହାର ସ୍ବାଇଁ କହିଛନ୍ତି, ସେଭଳି କୌଣସି ଭିଆଇପି ଲେନ୍ ସଂରକ୍ଷିତ ରଖିବା ପାଇଁ ଆମ ତରଫରୁ କୌଣସି ନିର୍ଦ୍ଦେଶ ନାହିଁ। ମୁଁ ଏ ଦିଗରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।