ରାୟଗଡ଼ା: ୫୦ କିମି ଗଲେ ମିଳୁଛି ବ୍ୟାଙ୍କ ସେବା। ମେଡ଼ିକାଲରେ ନାହାନ୍ତି ଡାକ୍ତର। ମୋବାଇଲ୍ ସେବା ସାତ ସପନ। ୯ ପଞ୍ଚାୟତର ଗୋଟିଏ ବି ଗାଁକୁ ଗଡ଼ୁନି ବସ୍। ଉଚ୍ଚ ଶିକ୍ଷା ପାଇଁ କଲେଜ ମଧ୍ୟ ନାହିଁ। ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଖୋଳା ଯାଇଥିବା ବୋରୱେଲ୍ ଓ ନଳକୂପ କାମ କରୁନି। ଆଧାର ଲିଙ୍କ୍ ହୋଇପାରୁନଥିବାରୁ ଭତ୍ତା ଟଙ୍କାକୁ ଚାହିଁ ଚାହିଁ ଲୁହ ଗଡ଼ାଉଛନ୍ତି ବୃଦ୍ଧ/ବୃଦ୍ଧା।
ମାଳ ମାଳ ଯୋଜନା, କୋଟି କୋଟି ଅନୁଦାନ ସତ୍ତ୍ବେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବିରଳ ଜନଜାତି ଲାଞ୍ଜିଆ ସଉରା ଓ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଆନ୍ଦୋଳନକୁ ଓହ୍ଲାଇ ସ୍ବର ଉତ୍ତୋଳନ କରିଛି ପୁଟାସିଂ ଅଞ୍ଚଳ ଉନ୍ନୟନ ପରିଷଦ କମିଟି। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୧୭ ଦଫା ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଅବହେଳିତ ଜୀବନ ବିତାଉଥିବା ଅଞ୍ଚଳବାସୀଙ୍କ ବିକାଶ ପାଇଁ ପୁଟାସିଂ କ୍ଲଷ୍ଟରକୁ ସ୍ବତନ୍ତ୍ର ବ୍ଲକ୍ ଘୋଷଣା କରାଯାଉ। ଯାହାକୁ ସମର୍ଥନ କରିଛନ୍ତି ୯ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ଲୋକ ପ୍ରତିନିଧି।
ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡର ୯ ପଞ୍ଚାୟତ ପୁଟାସିଂ, ଶଗଡା, ଟଲଣା, ଟିଟିମିରି, ଜଲତାର, ଚିନାସାରି, କୁଲୁସିଂ, ଅବଡ଼ା, ଭୀମପୁରରେ ବାସ କରି ଆସୁଛନ୍ତି ଲାଞ୍ଜିଆ ସଉରାଙ୍କ ସମେତ ଶହ ଶହ ଆଦିବାସୀ ପରିବାର। ୬୮୭୪ ଜନସଂଖ୍ୟା ବିଶିଷ୍ଟ ଏହି ବିରଳ ଜନଜାତିର ବିକାଶ ପାଇଁ ୧୯୮୪ ମସିହାରେ ପୁଟାସିଂରେ ପ୍ରତିଷ୍ଠା ହୋଇଛି ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା। ଏହି ବିରଳ ଜନଜାତି ସହ ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍, ଆର୍ଥିକ ଉନ୍ନତିକରଣ ଭଳି ଅନେକ ଯୋଜନା ବାବଦକୁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ସବୁ କିଛି କେବଳ ଯୋଜନାରେ ସୀମିତ ଥିବା ଲୋକ ପ୍ରତିନିଧି ଅଭିଯୋଗ କରିଛନ୍ତି। ମୋବାଇଲ୍, ଇଣ୍ଟରନେଟ୍ ସେବା ଉପଲବ୍ଧ ନଥିବାରୁ ବ୍ୟାଙ୍କିଂ, ଅନଲାଇନ୍ ଶିକ୍ଷା, ଆମ୍ବୁଲାନସ୍ ଭଳି ଜରୁରି ସେବାରୁ ବଞ୍ଚିତ ହୋଇ ଅଞ୍ଚଳବାସୀ ବିତାଉଛନ୍ତି ଦୁର୍ବିସହ ଜୀବନ। ଏବେ ଦାବି କରିଛନ୍ତି, ପୁଟାସିଂକୁ ସ୍ବତନ୍ତ୍ର ବ୍ଲକ୍ ଘୋଷଣା ସହ ୯ ପଞ୍ଚାୟତରେ ବିଏସ୍ଏନ୍ଏଲ୍, ଜିଓ ଟାୱାର ପ୍ରତିଷ୍ଠା ଓ ଇଣ୍ଟରନେଟ୍ ସୁବିଧା ଯୋଗାଇବାକୁ। ସେହିପରି ପୁଟାସିଂରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ପ୍ରାଥମିକ ଓ ଉପସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ଶବ ବ୍ୟବଚ୍ଛେଦ ଗୃହ, ଉଚ୍ଚଶିକ୍ଷା ପାଇଁ ସରକାରୀ ମହାବିଦ୍ୟାଳୟ, ବିଦ୍ୟୁତ୍ ସବ୍ ଷ୍ଟେସନ୍, ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା, ସବୁ ପଞ୍ଚାୟତକୁ ବସ୍ ଚଳାଚଳ, ବାଦାମସିଙ୍ଗ-ବାଙ୍ଗଶିବାକୁ ଯୋଗାଯୋଗ ପାଇଁ ଓଭରବ୍ରିଜ୍, ଲିଙ୍କ୍ ରୋଡ୍ ନିର୍ମାଣ, ଅସମ୍ପୂର୍ଣ୍ଣ ଜଲତାର-ଶଗଡ଼ା ରାସ୍ତାର ନିର୍ମାଣ, ୧୦ ବର୍ଷ ଧରି ନିର୍ମାଣଧୀନ ଅବଡ଼ା ଏଜୁକେସନ୍ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକ୍ଷମ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ଜଳସେଚନ ପ୍ରକଳ୍ପ, ଘର ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଏସଏସସି ଗଣନାରୁ ବାଦ୍ ପଡିଥିବା ପରିବାରକୁ ପୁନଃ ସାମିଲ୍ ସହ ସୁବିଧା ସୁଯୋଗ ପ୍ରଦାନ ଏବଂ ପ୍ରତି ହିତାଧିକାରୀଙ୍କୁ ୫ କେଜି ବଦଳରେ ୩୫ କେଜି ଚାଉଳ ପ୍ରଦାନ।
ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ପୁଟାସିଂ ଅଞ୍ଚଳ ଉନ୍ନୟନ ପରିଷଦ କମିଟିର ସଭାପତି ମାଥ୍ୟୁ ଦଳବେହେରା, ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ଶବର, ସରପଞ୍ଚ ଯତୀନ୍ଦ୍ର ଶବର, ଇନାନ୍ ଶବର, ଡାପନା ଶବର, ପୂର୍ବତନ ସମିତିସଭ୍ୟ ଇସମାଇଲ୍ ଶବର, ପୂର୍ବତନ ସରପଞ୍ଚ ଜେମସ୍ ଶବର, ତ୍ରିନାଥ ଦଳବେହେରା, ପରମ ଶବର, ଆବାହକ ଦାମୋଦର ଶବର ପ୍ରମୁଖ।