ଲାଞ୍ଜିଗଡ଼ ଅଶାନ୍ତ : ବେଦାନ୍ତ ସମ୍ମୁଖରେ ବିସ୍ଥାପିତ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ସୁରକ୍ଷା କର୍ମୀଙ୍କ ଲାଠି ମାଡ଼ରେ ଜଣେ ମୃତ, ଆନ୍ଦୋଳନକାରୀଙ୍କ ଆକ୍ରମଣରେ ହାବିଲଦାରଙ୍କ ମୃତ୍ୟୁ

କେସିଙ୍ଗା/ ଲାଞ୍ଜିଗଡ଼/ ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ରିଫାଇନାରି କମ୍ପାନିରେ ନିୟୋଜିତ ଓଆଇଏସଏଫ ସିକ୍ୟୁରିଟି ଓ ରେଙ୍ଗୋପାଲି ଗ୍ରାମର ବିସ୍ଥାପିତ ଆନ୍ଦୋଳନକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲାଠିଚାର୍ଜ ଓ ଆକ୍ରମଣ ପ୍ରତ୍ୟାକ୍ରମଣରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଓଆଇଏସଏଫ ସିକ୍ୟୁରିଟିଙ୍କ ମାଡ଼ରେ ଦାନି ବାତ୍ରା (୩୫) ନାମକ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ଲାଞ୍ଜିଗଡ଼ରେ ପ୍ରବଳ ଉତ୍ତେଜନା ଦେଖାହେବା ସହ ୧୪୪ ଧାରା ଲାଗୁ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣାଅଂଚଳ ଡିଆଇଜି ହିମାଂଶୁଲାଲ ପହଂଚି ଥିବା ବେଳେ ଘଟଣାସ୍ଥଳରେ ୬ ପ୍ଲାଟୁନ ପୁଲିସ ଫୋର୍ସ ଏସ୍‌ପି ବି ଗଙ୍ଗାଧର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ରେଡମଡ ପଣ୍ତ ପାଇଁ ବିସ୍ଥାପିତ ହୋଇଥିବା ରେଙ୍ଗୋପାଲି ଗ୍ରାମର ଅଧିବାସୀମାନେ ନିଜ ପୁଅ ଝିଅଙ୍କୁ ବେଦାନ୍ତ କମ୍ପାନି ମାଗଣାରେ ପାଠ ପଢାଇବା ସହ ନିଯୁକ୍ତି ଦାବିରେ କମ୍ପାନିର ମୁଖ୍ୟ ଫାଟକ ଠାରେ ଧାରଣାରେ ବସିଥିଲେ। କମ୍ପାନି କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହେବାକୁ ଥିବାବେଳେ ହଠାତ୍‌ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ହଠାତ୍‌ ସିକ୍ୟୁରିଟି କର୍ମଚାରୀ ମାନେ ଆନ୍ଦୋଳନକାରୀଙ୍କୁ ମାରପିଟ୍‌ କରିଥିଲେ। ମୁଖ୍ୟ ଫାଟକ ସାମ୍ନାରେ ଥିବା ଦୋକାନ ବଜାରର ଦୋକାନୀ ଓ ଗ୍ରାହକ ମଧ୍ୟ ବାଦ୍‌ ପଡ଼ିନଥିଲେ। ଫଳରେ ଛତ୍ରପୁରରୁ ଆସିଥିବା ଦାନି ବାତ୍ରା ନାମକ ସାଧାରଣ ଲୋକ ସିକ୍ୟୁରିଟିଙ୍କ ମାଡ଼ରେ ମୃତ୍ୟୁ ବରଣ କରିଥିଲେ। ସିକ୍ୟୁରିଟି କର୍ମଚାରୀ ମାନେ ଫାଟକ ସମ୍ମୁଖରେ ଥିବା ଗାଡ଼ି ମୋଟରକୁ ମଧ୍ୟ ଭାଙ୍ଗି ଦେଇଥିଲେ। ସିକ୍ୟୁରିଟି କର୍ମଚାରୀଙ୍କର ଆକ୍ରମଣରେ ଆନ୍ଦୋଳନକାରୀ ଓ ସାଧାରଣ ଲୋକ ମାନେ ଲହୁଲୁହାଣ ହୋଇଥିଲେ। ଦାନିଙ୍କୁ ହସପିଟାଲ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣରେ ଆହତ ୩୦ ଜଣଙ୍କୁ ଲାଞ୍ଜିଗଡ଼ ଓ ବିଶ୍ବନାଥପୁର ହସପିଟାଲକୁ ନିଆଯାଇଥିଲା।

ଦାନିଙ୍କ ମୃତ୍ୟୁ ପରେ ଅଂଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ଶବକୁ ଶୋଭାଯାତ୍ରାରେ ମୁଖ୍ୟ ଫାଟକରେ ରଖିଥିଲେ। ଅଧିବାସୀ ମାନଙ୍କର ରାଗ ଏତେ ଥିଲା ଯେ କମ୍ପାନି ଭିତରେ ପଶି ପ୍ରବଳ ଭଙ୍ଗାରୁଜା କରିବା ସହ କମ୍ପାନିର ସିଏସଆର ଅଫିସ ସମେତ ଅନ୍ୟ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋ‌କେ ରେଡମଡ ପଣ୍ତରେ ମଧ୍ୟ ନିଆ ଲଗାଇ ଦେଇଥିଲେ। ପରିସ୍ଥିତି ଏପରି ଏତେ ଭୟଂକର ଥିଲା ଯେ, ପୁଲିସ ଲୋକଙ୍କୁ ସମ୍ନା କରିପାରିଲା ନାହି। ଏସପି ବି ଗଙ୍ଗାଧର ଘଟଣାସ୍ଥଳରେ ପହଂଚିଥିଲେ ବି ପରିସ୍ଥିତି ନିୟନ୍ତ୍ରଣ ହୋଇପାରିନଥିଲା। ପରେ ଦକ୍ଷିଣାଂଚଳ ଡିଆଇଜି ହିମାଂଶୁ ଲାଲ ଓ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ଅନ୍ୟପଟରେ କମ୍ପାନି କର୍ତ୍ତୃପକ୍ଷ କହିଛନ୍ତି ଯେ ଆନ୍ଦୋଳନକାରୀ ମାନେ ହଠାତ କାରଖାନା ଭିତରକୁ ମାଡିଆସି ଭଙ୍ଗାରୁଜା ଓ ଆକ୍ରମଣ କରିବା ପରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସପି ବି ବଙ୍ଗାଧର କହିଛନ୍ତି ଯେ ଲୋକମାନଙ୍କ ଆକ୍ରମଣରେ ଓଆଇଏସଏଫ ସିକ୍ୟୁରିଟି ହାବିଲଦାର ସୁଜିତ ମିଞ୍ଜଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିବା ପ୍ରକାଶ କରିଛନ୍ତି। ତେବେ, କେଉଁ ପରିସ୍ଥିତିର କମ୍ପାନିର ସିକ୍ୟୁରିଟି କର୍ମଚାରୀ କାହା ନିର୍ଦ୍ଦେଶରେ ଲାଠିଚାର୍ଜ କଲେ ବୋଲି ପଚାରିବାରୁ ଏହାର ତର୍ଜମା କରାଯାଉଛି ଏବଂ ଲାଠି ଚାର୍ଜର କ୍ଷମତା ପ୍ରଶାସନରେ ଥିବା ପ୍ରକାଶ କରିଥିଲେ। ପୁଲିସ ସବୁ ଘଟଣାକୁ ନଜର ରଖି ତଦନ୍ତ କରୁଛି ବୋଲି ପ୍ରକାଶ କରିଛନ୍ତି।

ବେଦାନ୍ତ କମ୍ପାନି ପକ୍ଷରୁ ମଧ୍ୟ ଏହି ଘଟଣା ନେଇ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଆନ୍ଦୋଳନକାରୀ ଆଗ ଆକ୍ରମଣ କରିବାରୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏଭଳି ପରିସ୍ଥିତି ଉପୁଜୁ ବୋଲି କମ୍ପାନି କେବେବି ଚାହୁନଥିଲା। କମ୍ପାନି ଲୋକ ଓ ଅଂପଚଳର ବିକାଶରେ କାର୍ଯ୍ୟ କରେ ମାତ୍ର ଏପରି ଘଟଣାରେ ସେମାନେ ମୃତ୍ୟୁ ହୋଇଥିବା ଘଟଣାରେ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର