ଶ୍ରୀମନ୍ଦିରରେ ଲଙ୍ଗୁଳି ବାବାଙ୍କ ଉନ୍ମତ୍ତକାଣ୍ଡ : ଗୁରୁତର ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି

ଗିରଫ କରି କୋର୍ଟଚାଲାଣ କଲା ପୁଲିସ

ପୁରୀ : ଶ୍ରୀମନ୍ଦିରରେ ବେଢ଼ା ଭିତରେ ଥିବା ରୋହିଣୀକୁଣ୍ଡ ଛାମୁଣ୍ଡିଆକୁ ଭାଙ୍ଗିବା ସହିତ ଉନ୍ମତ୍ତକାଣ୍ଡ ଘଟାଇଥିବା ଲଙ୍ଗୁଳି ବାବା ଆଜି ନିସ୍ତୁକ ଛେଚା‌ ଖାଇଛନ୍ତି। ଶ୍ରୀମନ୍ଦିର ଜେଟିପିମାନଙ୍କ ଆକ୍ରମଣରେ ଲଙ୍ଗୁଳି ବାବା ଓରଫ ବୈଷ୍ଣବ ପୁରୀ ଓରଫ ତୁମ୍ବନାଥ ସୁବୁଦ୍ଧି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ଏନେଇ ଶ୍ରୀମନ୍ଦିର ସୁପରଭାଇଜର ପ୍ରତାପ ନନ୍ଦଙ୍କ ଅଭିଯୋଗକ୍ରମେ ସିଂହଦ୍ବାର ଥାନା ପୁଲିସ ୨୨୪/୨୧ ନମ୍ବରରେ ଏକ ମାମଲା ରୁଜୁ କରିଛି। ଏହି ମାମଲାକୁ ନେଇ ପୁଲିସ ଶ୍ରୀମନ୍ଦିର ପରିସରରେ ଥିବା କ୍ଲୋଜସର୍କିଟ୍‌ କ୍ୟାମେରାର ଫୁଟେଜ୍‌କୁ ସଂଗ୍ରହ କରି ଯାଞ୍ଚ କରିବା ସହିତ ତଦନ୍ତ ଚଳାଇଛି। ଅପରପକ୍ଷେ ସିଂହଦ୍ବାର ଥାନା ପୁଲିସ ତାଙ୍କୁ ସନ୍ଧ୍ୟାରେ ଗିରଫ କରି କୋର୍ଟଚାଲାଣ କରିଛି।

ଶ୍ରୀମନ୍ଦିର ସୁପରଭାଇଜର ଶ୍ରୀ ନନ୍ଦ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ବୈଷ୍ଣବ ପୁରୀ କେବଳ ଏକ କୌପୀନ ପରିଧାନ କରି ଶ୍ରୀମନ୍ଦିର ପରିସରକୁ ଧସେଇ ପଶି ବିମଳାଙ୍କ ମନ୍ଦିର ସମ୍ମୁଖରେ ଥିବା ରୋହିଣୀ କୁଣ୍ଡର ଛାମୁଣ୍ଡିଆକୁ ଭଙ୍ଗାରୁଜା କରିଥିଲା। ଏଠାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଶ୍ରୀମନ୍ଦିର ପ୍ରଶାସନକୁ ଭତ୍ସନା କରିଥିଲା। ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନଙ୍କୁ ସେମାନଙ୍କ କାମ କରାଇ ଦେଇନଥିଲା। ଏହା ଜାଣିବା ପରେ ଜଗନ୍ନାଥ ମନ୍ଦିର ପୁଲିସ(ଜେଟିପି)ମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ସେ ଉଲଗ୍ନ ହୋଇ ଏଣେତେଣେ ଦୌଡ଼ି ଶ୍ରଦ୍ଧାଳୁମାନଙ୍କୁ ଭୟଭୀତ କରାଇବାରେ ଲାଗିଥିଲା। ତାଙ୍କୁଜେଟିପି ଓ ସିଂହଦ୍ବାର ଥାନା ପୁଲିସ ଧରିବାପରେ ନିସ୍ତୁକ ଛେଚିଥିଲେ। ବୈଷ୍ଣବ ପୁରୀ ସେମାନଙ୍କୁ ଜେଲରୁ ଫେରିବା ପରେ ହତ୍ୟା କରିବ ବୋଲି ଧମକ ଦେଇଥିଲା। ଏହି ସଂଘବଦ୍ଧ ଆକ୍ରମଣରେ ବାବା ବୈଷ୍ଣବ ପୁରୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏନେଇ ସିଂହଦ୍ବାର ଥାନା ପୁଲିସ ଅଭିଯୋଗ ପାଇ ତା ବିରୋଧରେ ଏକ ମାମଲା ରୁଜୁ କରିଛି।

ଅନ୍ୟପଟେ ଏହି ଘଟଣା ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ବିଜେପି ନେତା ପ୍ରଦୀପ୍ତ କୁମାର ନାୟକ ଟ୍ବିଟ୍‌ କରି ଏହାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର