ସୋନପୁର: ସୋନପୁର ଲଙ୍କାପୋଡ଼ି ମହୋତ୍ସବ କମିଟି ଏବଂ ନାଟ୍ୟଚକ୍ର ପକ୍ଷରୁ ସୋନପୁର ପୁରୁଣା ଟାଉନ୍ହଲ୍ରେ ଶନିବାର ସନ୍ଧ୍ୟାରେ ଲଙ୍କାପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍ପି ଅମରେଶ ପଣ୍ଡା ମୁଖ୍ୟ ଅତିଥି, ଡା.ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଡ. ଦେବାଶିଷ ପାଣ୍ଡିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ହନୁମାନ ସାଜସଜ୍ଜା ପ୍ରତିଯୋଗିତା ଏବଂ ହନୁମାନ ଚାଳିଶା ପାଠ କରାଯାଇଥିଲା। ପୂଜକ ରାଧେଶ୍ୟାମ ପୁରୋହିତ ଏବଂ ସଚ୍ଚିଦାନନ୍ଦ ଦାଶ ପୂଜା ଓ ହନୁମାନ ଚାଳିଶା ପାଠ କରିଥିଲେ। ଏହି ଅବସରରେ ଟେରାକୋଟା ଶିଳ୍ପୀ ପ୍ରହଲ୍ଲାଦ ରଣାଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଣୁଧର ପ୍ରଧାନ ସଭା ସଂଯୋଜନା କରିଥିଲେ। ନାଟ୍ୟଚକ୍ରର ନିର୍ଦ୍ଦେଶକ ମନୋଜ ବାରିକ ସହଯୋଗ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର। ଏହାକୁ ରାମାୟଣରେ ବର୍ଣ୍ଣିତ ପଶ୍ଚିମ ଲଙ୍କା ବୋଲି ଐତିହାସିକମାନେ ମତ ଦିଅନ୍ତି। ଲଙ୍କାଗଡ଼ରେ ଆଜି ବି ଦେବୀ ଲଙ୍କେଶ୍ବରୀ ପୂଜିତ ହେଉଛନ୍ତି। ସନ୍ଧ୍ୟାରେ ବିଭିନ୍ନ ପଡ଼ାରୁ ଛୋଟ ଛୋଟ ପିଲାଙ୍କ ଦ୍ବାରା ବିଭିନ୍ନ କିସମର ହନୁମାନ ବାହାରି ଶୋଭାଯାତ୍ରା କରାଯାଇଥିଲା।