ତେଲକୋଇ/ରାଇସୁଆଁ: ମଙ୍ଗଳବାର ସଂଧ୍ୟାରେ ପଢ଼ୁଥିବା ବେଳେ ଲଣ୍ଠନ ଫାଟି ଗୁରୁତର ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଶିଶୁଙ୍କର ଆଜି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃ୍ତକ ଜଣଙ୍କ ହେଲେ ଶଶିଭୂଷଣ ମହାନ୍ତ ଓରଫ ଶମ୍ଭୁନାଥ(୧୧)।
ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ଝାଟିକିପଶି ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ପୁଅ ଶଶିଭୂଷଣ, ଝିଅ ସୌମ୍ୟାସ୍ବାଗତିକା ମହାନ୍ତ ଓରଫ ପେରୀ ଲଣ୍ଠନ ଜାଳି ପାଠ ପଢ଼ୁଥିଲେ। ପାଖରେ ସେମାନଙ୍କ ମା’ ନିରୂପମା ମହାନ୍ତ(୩୨), ଜେଜେ ରଘୁନାଥ ମହାନ୍ତ ଉପସ୍ଥିତ ଥିଲେ। ପଢ଼ୁଥିବା ବେଳେ ହଠତ୍ ଲଣ୍ଠନଟି ଫାଟି ଯିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଉଦ୍ବେଗଜନକ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଶଶିଭୂଷଣଙ୍କ ଶରୀରର ୯୦ ଭାଗ ଜଳି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ସାଢ଼େ ୬ଟା ବେଳେ ଶଶିଭୂଷଣ ଆଖି ବୁଜି ଦେଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ କୁନି ଝିଅ ପେରୀ ଓ ମାଆ ନିରୂପମା ମହାନ୍ତ(୩୨) ଚିକିତ୍ସାଧୀନ ଅଛନ୍ତି। ଆର୍ଥିକ ଅନଟନ ଯୋଗୁଁ ଚିକିତ୍ସାରେ ସମସ୍ୟା ଉପୁଜୁଥିବା ପରିବାର ଲୋକେ କହିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc.jpg)