୧୯ ବର୍ଷ ପରେ ଦଣ୍ଡ : ଭୂମି ଅଧିଗ୍ରହଣ ଅଧିକାରୀଙ୍କୁ ୩ ବର୍ଷ ଜେଲ୍

ନୟାଗଡ଼ : ସରକାରୀ ଅର୍ଥ ଆତ୍ମସାତ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ଭୂମି ଅଧିଗ୍ରହଣ ଅଧିକାରୀ (ଏଲ୍ଏଓ)ଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ବିଚା‌ର ବିଭାଗୀୟ ମାଜିଷ୍ଟ୍ରେଟ୍ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ୪ ହଜାର ଟଙ୍କା ଜରିମାନା କରିଛନ୍ତି। ମାମଲାର ପ୍ରାୟ ୧୯ ବର୍ଷ ପରେ ଏଲ୍‌ଏଓ ବ୍ରଜବନ୍ଧୁ ପଟ୍ଟନାୟକଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି। ମାମଲାରୁ ପ୍ରକାଶ ଯେ, ୧୯୯୯ ମସିହାରେ ଶ୍ରୀ ପଟ୍ଟନାୟକ ଏଲ୍ଏଓ ଭାବେ କାର୍ଯ୍ୟ କରୁଥିଲେ। ୧୯୯୯ ଡିସେମ୍ବର ୨୯ ତାରିଖରେ ନୟାଗଡ଼ ଜିଲ୍ଲାପାଳଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଏକ ସରକାରୀ ବ୍ୟାଙ୍କ୍ ଡ୍ରାଫ୍ଟ ଆସଥିଲା। ଉକ୍ତ ଡ୍ରାଫ୍ଟକୁ ତତ୍କାଳୀନ ଜିଲ୍ଲାପାଳ ଅଶ୍ବିନୀ କୁମାର ଦାସ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ସେକ୍‌ସନ୍‌ ଆକାଉଣ୍ଟ‌୍‌ରେ ଜମା କରିବାକୁ କହିଥିଲେ। କିନ୍ତୁ ଶ୍ରୀ ପଟ୍ଟନାୟକ ଏହା ନକରି ସରକାରୀ ଅର୍ଥକୁ ନିଜ ଆକାଉଣ୍ଟରେ ଜମା କରିଦେଇଥିଲେ। ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଦାସ ୨୦୦୦ ଏପ୍ରିଲ ୧୯ ତାରିଖରେ ଜାଣିବାକୁ ପାଇଥିଲେ ଏବଂ ଏଲ୍‌ଏଓ ଶ୍ରୀ ପଟ୍ଟନାୟକ ସେହି ଅର୍ଥରୁ ୬ ଲକ୍ଷ ଟଙ୍କା ନେଇ ଯାଇଥିବା ଜିଲ୍ଲାପାଳ ଜାଣିପାରିଥିଲେ। ଏ ନେଇ ଏଲ୍ଏଓଙ୍କୁ ପଚାରିବାରୁ ସେ ଏହି ଅର୍ଥ ବାବଦରେ କୌଣସି ସୂଚନା ଦେଇପାରିନଥି‌ଲେ। ଶେଷରେ ବାଧ୍ୟ ହୋଇ ଜିଲ୍ଳାପାଳ ଶ୍ରୀ ଦାସ ନୟାଗଡ଼ ଥାନାରେ ଏକ ଏତଲା (୫୪/୨୦୦୦) ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ ସତ୍ୟାସତ୍ୟ ଜାଣିବା ପରେ ନୟାଗଡ଼ କୋର୍ଟରେ ଏ ନେଇ ଚାର୍ଜସିଟ୍ ଦାଖଲ କରିଥିଲା। ନୟାଗଡ଼ ସିଜିଏମ୍ କୋର୍ଟରେ ଉକ୍ତ ମାମଲାର ବିଚାର ଚାଲିଥିଲା। ଆଜି ୧୨ ଜଣ ସାକ୍ଷୀ ଓ ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କ ଯୁକ୍ତିକୁ ବିଚାର କରି ମାଜିଷ୍ଟ୍ରେଟ୍ ମାନସ କୁମାର ପଣ୍ଡା ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର