ଦୁଆର ଦୁଆର ବୁଲି ଆଦିବାସୀମାନଙ୍କୁ ଲାପ୍‌ଟପ୍‌ ମାଧ୍ୟମରେ ବ୍ୟାଙ୍କ୍‌ ସେବା ଯୋଗାଉଛନ୍ତି ‘ବ୍ୟାଙ୍କ୍‌ ମାଡାମ୍‌’

ଭୁବନେଶ୍ବର: କରୋନା ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି ଅନେକ ଯୋଦ୍ଧା। ଏବେ ଏହି ତାଲିକାରେ ନାମ ଲେଖାଇଛନ୍ତି କୋଟାପୁଟ୍‌ ଜିଲ୍ଲାସ୍ଥିତ ଲକ୍ଷ୍ମୀପୁର ତହସିଲ୍‌ରୁ ୧୯ କିଲୋମିଟର ଦୂରରେ ଥିବା ଆଦିବାସୀ ଅଞ୍ଚଳର ଏକ ଗ୍ରାମର ଯୁବତୀ। ସେ ମୁହଁରେ ମାସ୍କ ପିନ୍ଧି ହାତରେ ଏକ ଲାପ୍‌ଟପ୍‌ ଧରି ଦୁଆର ଦୁଆର ବୁଲି ଲୋକଙ୍କ ପାଖରେ ପହଞ୍ଚଛନ୍ତି। ଲୋକଙ୍କ ପାଖରେ ପହଞ୍ଚି ବ୍ୟାଙ୍କ୍‌ ସଂପର୍କିତ ସେବା ଯୋଗାଉଛନ୍ତି। ସଂପୃକ୍ତ ଅଞ୍ଚଳର ଲୋକେ ଏବେ ତାଙ୍କୁ ‘ବ୍ୟାଙ୍କ୍‌ ମାଡାମ୍‌’ ଡାକିବା ଆରମ୍ଭ କରି ଦେଇଛନ୍ତି।

ଏହି ଯୁବତୀଙ୍କ ନାମ ସଲାମୀ ଶଶାଙ୍କର। ସଲାମୀ ଆସିବା ମାତ୍ରେ ଲୋକେ ମୁହଁରେ କପଡ଼ା ଗୁଡ଼ାଇ ତାଙ୍କ ଆଗରେ ଧାଡ଼ି ହୋଇ ଛିଡ଼ା ହୋଇଯାନ୍ତି। ତାଙ୍କ ବୟସ ୨୭ ବର୍ଷ। ସେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଲକ୍ଷ୍ମୀପୁର ଶାଖାରେ ଚାକିରି କରନ୍ତି। ମାର୍ଚ ୨୫ ତାରିଖରୁ ସେ ଦୁଆର ଦୁଆର ବୋଲି ଲୋକଙ୍କ ସେବା କରି ଆସୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବ୍‌ସିଡ୍‌ ପହଞ୍ଚାଇବାରେ ସେ ହେଉଛନ୍ତି ଏକମାତ୍ର ମାଧ୍ୟମ। ସେ ଲୋକଙ୍କ ପାଖରେ ପହଞ୍ଚିବା ପରେ ଏକ ଗଛ ତଳେ ବସିପଡ଼ନ୍ତି ନିଜ କାମ ଆରମ୍ଭ କରିବା ପାଇଁ।

ସେ ପ୍ରତିଦିନ ତାଙ୍କ ବ୍ୟାଗ୍‌ରେ ୭୦ଟି ଜମା ଓ ଉଠାଣ ଫର୍ମ ଭରି କରି ନେଇଥାନ୍ତି। ତାହା ବ୍ୟତୀତ ଷ୍ଟାମ୍ପ୍‌ ପ୍ୟାଡ୍‌, ଲାପ୍‌ଟପ୍‌, ୩୦ରୁ ୪୦ ହଜାର ଟଙ୍କା, ୬୦ ପୃଷ୍ଠାର ଏକ ପଞ୍ଜିକରଣ ବହି ଓ ଏ‌କ ସାନିଟାଇଜର୍‌ ନେଇକରି ଯାଇଥାନ୍ତି।

 

ସମ୍ବନ୍ଧିତ ଖବର