ମାଇକ୍ରୋଫାଇନାନ୍ସ ଅଫିସ୍‌ରୁ ଲାପ୍‌ଟପ୍ ଓ ମୋବାଇଲ୍‌ ଚୋରି ଘଟଣା: ପୂର୍ବ କର୍ମଚାରୀଙ୍କ ସମେତ ୪ ଗିରଫ

ସୋହେଲା: ବରଗଡ଼ ଜିଲ୍ଲା ସୋହେଲା-ବରପାଲି ରାସ୍ତାରେ ଥିବା ସ୍ପନ୍ଦନାସ୍ଫୁର୍ତ୍ତି ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କାର୍ଯ୍ୟାଳୟରୁ ଗତ ଜୁଲାଇ ମାସ ୨ ତାରିଖ ଲକ୍‌ଡାଉନ୍‌ ସମୟରେ କାର୍ଯ୍ୟାଳୟ ଭିତରୁ ୨ଟି ଲାପ୍‌ଟପ୍ ଓ ୧୨ଟି ନୂଆ ମୋବାଇଲ ଚୋରି ହୋଇଥିଲା। ଏନେଇ ସଂସ୍ଥାର ମ୍ୟାନେଜର ପ୍ରକାଶ ତାଣ୍ଡି ସୋହେଲା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ କେସ୍ ନମ୍ବର ୯୪/୨୦ରେ ଏକ ମାମଲା ରୁଜୁ କରିଥିଲା। ଆଇଆଇସି ନିର୍ମଳ ମହାପାତ୍ରଙ୍କ ନେତୃତ୍ୱରେ ମହିଳା ସବ୍‌ଇନ୍ସପେକ୍ଟର ସୁଶିଳା ଟିଗା, ସବ୍‌ଇନ୍ସପେକ୍ଟର ଅମିତ ଖେସ, ରାହାସ ବିହାରୀ ସାହା, ହାବିଲଦାର ନିରାକାର ବିଶ୍ୱାଳ ପ୍ରମୁଖ କର୍ମଚାରୀ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ପୁଲିସ୍‌ ତଦନ୍ତ ସମୟରେ ଉକ୍ତ ସଂସ୍ଥାରେ ପ୍ରାୟ ୧ ବର୍ଷ କାମ କରିବା ପରେ ଗତ ଜୁନ ମାସରେ ଚାକିରି ଛାଡିଥିବା ଭଟଲି ଥାନା ଡୁମାଲପାଲି ଗ୍ରାମର ନବକୁମାର ଭୋଇ ନାମକ ଯୁବକଙ୍କୁ ସନ୍ଦେହରେ ଅଟକ ରଖିଥିଲା।

ପଚରାଉଚୁରା କରିବା ପରେ ସେ କାର୍ଯ୍ୟାଳୟରେ ଲାଗୁଥିବା ତାଲାର ଏକ ଡୁପ୍ଲିକେଟ୍‌ ଚାବିରେ ଘଟଣା ଦିନ ତାଲା ଖୋଲି କାର୍ଯ୍ୟାଳୟରେ ଥିବା ଲାପ୍‌ଟପ୍ ଓ ମୋବାଇଲ ଚୋରି କରିଥିବା ସ୍ୱୀକାର କରିଥିଲା। ଚୋରି ମୋବାଇଲ ଓ ଲାପ୍‌ଟପ୍‌କୁ ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ପୁଲିସକୁ କହିଥିଲା। ପୁଲିସ୍‌ ଅଭିଯୁକ୍ତ ନବକୁମାରଙ୍କଠାରୁ ଗୋଟିଏ ଲାପ୍‌ଟପ୍ ଓ ୩ଟି ମୋବାଇଲ ଜବତ କରିଥିଲା। ତାଙ୍କ ସୂଚନା ମୁତାବକ ଅମ୍ବାଭୋନା ଥାନା ଖିଜୁପାଲି ଗ୍ରାମର ଉମେଶ ଡନସେନାଙ୍କଠାରୁ ଅନ୍ୟ ଏକ ଲାପ୍‌ଟପ୍ ଓ ୨ଟି ମୋବାଇଲ, ଭଟଲି ଥାନା ବଡ଼ମାଲ ଗ୍ରାମର ରୂପେନ ବିଶ୍ୱାଳ ଓ ସନ୍ୟାସୀ ପଧାନଙ୍କଠାରୁ ୨ଟି ଲେଖାଏଁ ମୋବାଇଲ ଏହିପରି ମୋଟ୍‌ ୯ଟି ମୋବାଇଲ ଓ ୨ଟି ଲାପ୍‌ଟପ୍ ଜବତ କରିଥିଲେ। ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର