ଅନୁଗୁଳରେ କିଡ୍‌ନୀ ରୋଗ ଆତଙ୍କ, ଏକ ବର୍ଷ ୭ ମାସରେ ୫୯ ମୃତ

ଅନୁଗୁଳ: କିଡ୍‌ନୀ ରୋଗ ଅନୁଗୁଳ ଜିଲ୍ଲାରେ ଏବେ ଭୟଙ୍କର ରୂପ ନେବାକୁ ଯାଉଛି। ଗତ ୧ ବର୍ଷ ୭ ମାସ ମଧ୍ୟରେ ୫୯ ଜଣଙ୍କ ଜୀବନ ନେଇ ସାରିଲାଣି। ଏବେ ଜୀନବ ସହିତ ସଂଗ୍ରାମ କରୁଛନ୍ତି ଶତାଧିକ ‌‌େରାଗୀ । ଗତ ୧୯୯୩ ମସିହାରେ ଜନ୍ମ ନେଇଥିବା ଅନୁଗୁଳ ଜିଲ୍ଲା ରାଜ୍ୟର ଶିଳ୍ପ ରାଜଧାନୀ ଭାବେ ପରିଗଣିତ ହେଉଛି। ଖଣିଖଦାନ ଓ କାରଖାନା ଯୋଗୁଁ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ବହୁତ ବେଶୀ। ପ୍ରଦୂଷଣର ମାତ୍ରାକୁ ଦେଖି ଲୋକେ ଏଠାକାର ଜଳ, ସ୍ଥଳ, ଆକାଶ ଓ ପବନରେ ବିଷ ରହିଥିବା କହୁଛନ୍ତି। ପ୍ରଦୂଷଣର ବିଷ ବଳୟ ମଧ୍ୟରେ ଲୋ‌େକ କାଳାତିପାତ କରୁଛନ୍ତି। ଏବେ କିନ୍ତୁ ଅନୁଗୁଳ ଜିଲ୍ଲାରେ କିଡ୍‌ନୀ ରୋଗ ବ୍ୟାପିବାରେ ଲାଗିଛି। ସରକାରୀ ତଥ୍ୟ ଅନୁଯାୟୀ, କିଡ୍‌ନୀ ରୋଗ ଇତିମଧ୍ୟରେ ଅନୁଗୁଳ ବ୍ଲକ ହେମାମୁରା ଗାଁର ୫ ଜଣଙ୍କ ଜୀବନ ନେଲାଣି। ଏବେ ୯ ଜଣ କିଡ୍‌ନୀ ରୋଗୀ ଜୀବନ ବଞ୍ଚାଇବା ପାଇଁ ହସ୍‌ପିଟାଲକୁ ଧାଉଁଛନ୍ତି। ଆଠମଲ୍ଲିକ ବ୍ଲକ ଲୁହାସିଂହା, ଭଗବାନପୁର ଓ ଶାନ୍ତିପୁର ଗାଁର ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଅଂଚଳର ୧୭ ଜଣ ରୋଗୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିୟମିତ ବ୍ୟବଧାନରେ ଆସି ଚିକିିତ୍ସିତ ହେଉଛନ୍ତି। କିଶୋରନଗର ବ୍ଲକ ଡାଳପୋକା ଗାଁର ୩ ଜଣ ଓ ଭାଙ୍ଗମୁଣ୍ଡା ଗାଁର ୬ ଜଣ ବ୍ୟକ୍ତି ବି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଖମାର ପାଖ ଝାରକିଲିଣ୍ଡା ଗାଁର ୨ ଜଣଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇ ସାରିଥିବା ବେଳେ ୪ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଏହି ରୋଗ ସାନସଡ଼ା ଗାଁର ୭ ଜଣ ଲୋକଙ୍କ ଜୀବନ ନେଲାଣି। ଏବେ ଆହୁରି ୭ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି। ଦେବାହାଲି ଗାଁର ୩ ଜଣ ଓ ଚଷାଗୁରୁଜାଙ୍ଗ ଗାଁର ୮ ଜଣ ଲୋକ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବଅଁରପାଲ ବ୍ଲକ ବଳରାମପ୍ରସାଦ ପାଖ ବଡ଼ତଇଲା ଗ୍ରାମରେ ମାତ୍ର ୫୦ ପରିବାର ରହୁଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ କିଡନୀ ରୋଗରେ ୫ ଜଣ ଆଖିବୁଜି ସାରିଥିବା ଲୋକେ କହୁଛନ୍ତି। ସେହିପରି ଆହୁରି ୫ ଜଣ ରୋଗୀ ଏବେ ଜୀବନ ସହିତ ସଂଗ୍ରାମ କରୁଛନ୍ତି।

ଆଗରୁ ଅନୁଗୁଳରେ ଚିକିତ୍ସା ସୁବିଧା ନଥିବାରୁ ଜିଲ୍ଲାର ରୋଗୀମାନେ ଡାଇଲିସିସ ପାଇଁ ବୁର୍ଲା, କଟକ ଓ ଭୁବନେଶ୍ୱର ଆଦି ସହରକୁ ଦୌଡ଼ୁଥିଲେ। ସରକାରୀ ଡାକ୍ତରଖାନାରେ ନିଜ ପାଳି ଆସିବାକୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ତେଣୁ ବହୁ ଲୋକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗତ ୨୦୧୮ ମସିହା ‌ଏପ୍ରିଲ ୧ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଅନୁଗୁଳରେ ଡାଇଲିସିସ କେନ୍ଦ୍ର ସ୍ଥାପନ ହୋଇଥିଲା। ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୨୯ ଜାନୁଆରୀ ୨୦୧୯ରେ ଆହୁରି ୫ଟି ଡାଇଲିସିସ ମେସିନ ଅଣାଯାଇଛି। ୧୨ଟି ମେସିନରେ ପ୍ରତିଦିନ ୩ଟି ସିଫ୍‌ଟରେ ରୋଗୀଙ୍କ ଚିକିତ୍ସା ଚାଲିଛି। ଏହା ସତ୍ତ୍ବେ ରୋଗୀମାନଙ୍କୁ ନିଜ ପାଳି ଆସିବାକୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆହୁରି ୪ଟି ‌ଡାଇଲିସିସ ମେସିନ ଆଣିବାକୁ ଯୋଜନା କରୁଛି। ତଥ୍ୟ କହୁଛି, ଏଠାରେ ଡାଇଲିସିସ ହେଉଥିବା ରୋଗୀଙ୍କ ମଧ୍ୟରୁ ୧ ଏପ୍ରିଲ ୨୦୧୮ରୁ ୩୦ ଅକ୍ଟୋବର ୨୦୧୯ ଭିତରେ ୫୯ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ୩୦ ‌ଅକ୍ଟୋବରର ତଥ୍ୟକୁ ହିସାବକୁ ନେଲେ ୯୦ ଜଣ ରୋଗୀ ଡାଇଲିସିସ ପାଇଁ ଅପେକ୍ଷା ତାଲିକାରେ ରହିଥିଲେ। ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିିସିସ ପାଇଁ ବହୁ ଦିନ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଅନୁଗୁଳ ଜିଲ୍ଲାର ଅନେକ ରୋଗୀ କଟକ, ଭୁବନେଶ୍ବର ତଥା ବୁର୍ଲା ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଘରୋଇ ଡାକ୍ତରଖାନାରେ ଡାଇଲିସିସ କରାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲ୍ଲାରେ କିଡ୍‌ନୀ ରୋଗ ବ୍ୟାପୁଥିଲେ ବି ଏହାର ଠୋସ୍‌ କାରଣ ସ୍ବାସ୍ଥ୍ୟ ବିଭାଗ ଖୋଜି ବାହାର କରି ପାରି ନାହିଁ। ପାଣି ଯୋଗୁଁ ଏଭଳି ହେଉଥିବା କହୁଯାଉଛି। ମାତ୍ର ନିକଟ ଅତୀତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ପାଇଁ ବିଭିନ୍ନ ଜାଗାରୁ ପାଣି ନମୁନା ସଂଗ୍ରହ କରିଥିଲା। ନମୁନା ପରୀକ୍ଷାରୁ ଯେଉଁ ତଥ୍ୟ ଆସିଛି, ଏହା କିଡ୍‌ନୀ ରୋଗର ପ୍ରମୁଖ କାରଣ ବୋଲି କୁହାଯାଇପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର