ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲୋକଙ୍କ ଯାତାୟତ ପାଇଁ ସବୁଠାରୁ ଶସ୍ତା, ସହଜ ଓ ସୁରକ୍ଷିତ ପରିବହନ ସେବା ‘ମୋ ବସ୍’ ଆଜି ରାତି ୮ଟା ଯାଏଁ ଚାଲିବ। ନୂଆବର୍ଷ ପାଳନ କଟକଣା ନେଇ ଭୁବନେଶ୍ୱର ଓ କଟକରେ କମିସନରେଟ ପୁଲିସ୍ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିବା ଲାଗି କ୍ରୁଟ୍(କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ରାତି ୮ଟା ପରେ ‘ମୋ ବସ୍’ ସେବା ମିଳିବ ନାହିଁ।
କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ପୁରୀରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ପାଇଁ ଶେଷ ବସ୍ ମିଳିବ। ସେହିପରି କୋଣାର୍କରୁ ମାଷ୍ଟରକ୍ୟାଣ୍ଟିନ୍ ପାଇଁ ସନ୍ଧ୍ୟା ୫ଟା ୨୦ରେ ଶେଷ ବସ୍ ଛାଡ଼ିବ।
📢 Notice- #MoBus🚌 service will be available till 8 PM today.#NightCurfew
— Capital Region Urban Transport (@CRUT_BBSR) December 31, 2020
ଫନି ପରେ ମୋ ବସ୍ ସେବା ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ଲୋକଙ୍କୁ ସେବା ଯୋଗାଇ ଲୋକପ୍ରିୟତା ହାସଲ କରିଥିଲେ ମୋ ବସ୍। ଫନି ପରେ ମାତ୍ର ୩୦ ହଜାର ଦୈନିକ ଯାତ୍ରୀ ସଂଖ୍ୟା ହେଉଥିବା ବେଳେ ୨୦୧୯ ଅକ୍ଟୋବର ୧୫ ସୁଦ୍ଧା ଦୈନିକ ଯାତ୍ରୀ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଥିଲା। ଏହା ପରେ ୧ ଲକ୍ଷ ୪୦ ହଜାର ଛୁଇଁଥିଲା। କରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ସେବା ପୂରା ଠପ୍ ହୋଇଯାଇଥିବା ବେଳେ ଏବେ ଦୈନିକ ଯାତ୍ରୀ ସଂଖ୍ୟା ପ୍ରାୟ ୨୬ ହଜାର ରହିଛି।
ଚଳିତ ବର୍ଷ ମେ’ ୨୬ରେ ମାତ୍ର ୭ଟି ରୁଟରେ ୪୦ଟି ବସ୍ର ସେବା ଆରମ୍ଭ ହୋଇଥିଲା। ଜୁନ୍ ସୁଦ୍ଧା ସେହି ୭ଟି ରୁଟରେ ୬୬ଟି ବସ୍ ଚାଲିଥିଲା। ସେପ୍ଟେମ୍ବର ୨୭ରେ ପୁରୀ ଓ କୋଣାର୍କ ଦୁଇଟି ରୁଟ୍କୁ ନୂତନ ଭାବେ ବସ୍ ସେବା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୧୭ଟି ରୁଟ୍ରେ ୧୦୯ଟି ବସ୍ ଚଳାଚଳ କରୁଛି। ପଟିଆ ଓ ପାତ୍ରପଡ଼ାରେ ଦୁଇଟି ଅତ୍ୟାଧୁନିକ ବସ୍ ଡିପୋ କରାଯିବ। ଦୁଇଟି ଡିପୋରେ ପ୍ରାୟ ୧୭କୋଟି ଲେଖାଁଏ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।