ସରିଲା ନବୀନଙ୍କ ଚତୁର୍ଥ ପାଳିର ଶେଷ କ୍ୟାବିନେଟ ବୈଠକ, ଘଟଣାବହୁଳ ପଞ୍ଚଦଶ ବିଧାନସଭା ଭଙ୍ଗ ଲାଗି  ସୁପାରିସ

ଭୁବନେଶ୍ୱର (ସୁବ୍ରତ ଦାସ) : ପଞ୍ଚଦଶ ବିଧାନସଭାକୁ ଭାଙ୍ଗ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ରାଜ୍ୟପାଳଙ୍କୁ ସୁପାରିସ କରିଛି। ଏହା ଚଳିତ ସରକାରଙ୍କ ଶେଷ କ୍ୟାବିନେଟ ବୈଠକ। ଆସନ୍ତା ୨୩ ତାରିଖ ଦିନ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂତନ ବିଧାନସଭା ଗଠିତ ହେବ  ଏବଂ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବ।

ପଞ୍ଚଦଶ ବିଧାନସଭା ୨୦୧୪ ମଇ ୨୫ ତାରିଖରେ ଗଠିତ ହୋଇଥିଲା। ଏହି ବିଧାନସଭାର ୧୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଶେଷ ଅଧିବେଶନ ଫେବ୍ରୁଆରି ୮ ତାରିଖରେ ସମାପ୍ତ ହୋଇଥିଲା। ଏହି ସଂକ୍ଷିପ୍ତ ଅଧିବେଶନରେ ୫୬,୯୨୧ କୋଟି ଟଙ୍କାର କାମଚଳା ବଜେଟ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଉପସ୍ଥାପିତ ହୋଇଥିଲା।

ପଞ୍ଚଦଶ ବିଧାନସଭାରେ ବିଜୁ ଜନତା ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲା। ୧୪୭ ସଦସ୍ୟ ବିଶିଷ୍ଟ ଏହି ବିଧାନସଭାରେ ବିଜୁ ଜନତା ଦଳ ୧୧୭ ଆସନ ହାସଲ କରିଥିବା ବେଳେ କଂଗ୍ରେସ ୧୬, ଭାରତୀୟ ଜନତା ପାର୍ଟି ୧୦, ସିପିଏମ୍‌ ଓ ସମତା କ୍ରାନ୍ତି ଦଳ ଗୋଟିଏ ଲେଖାଏଁ ଆସନ ଜିତିଥିଲେ। ଏହା ବ୍ୟତୀତ ଦୁଇଜଣ ସ୍ୱାଧୀନ ବିଧାୟକ (ସନାତନ ମହାକୁଡ ଓ ଉମାକାନ୍ତ ସାମନ୍ତରାୟ) ଏହି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

The Hindu

ତେବେ ବିଧାନସଭା ଅବଧି ଶେଷ ହେବା ବେଳକୁ କେତେକ ଅଦଳବଦଳ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭ୍ୟ ପଦରୁ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଝାରସୁଗୁଡା ବିଧାୟକ ନବକିଶୋର ଦାସ, ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା  ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଇସ୍ତଫା ଦେଇଥିଲେ।

ସେହିପରି ରାଉରକେଲାର ଭାରତୀୟ ଜନତା ପାର୍ଟି ବିଧାୟକ ଦିଲ୍ଲୀପ ରାୟ ସଭ୍ୟ ପଦ ତ୍ୟାଗ କରିଥିଲେ। ସମତା କ୍ରାନ୍ତି ଦଳର ଏକମାତ୍ର ବିଧାୟକ ଜର୍ଜ ତିର୍କୀ ଦଳରୁ ଇସ୍ତଫା ଦେଇ କଂଗ୍ରେସ ବିଧାୟକ ଦଳରେ ଯୋଗ ଦେଇଥିଲେ।

ନିୟମ ଦୃଷ୍ଟିରୁ ସମୁଦାୟ ଆସନ ସଂଖ୍ୟାର ଏକ ଦଶମାଂଶ କଂଗ୍ରେସ ଦଳ ହାସଲ କରିଥିବାରୁ ଏହାର ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାର ବିରୋଧୀ ଦଳ ନେତାର ସ୍ୱୀକୃତି ପାଇଥିଲେ। ତେବେ ଶେଷ ବେଳକୁ କଂଗ୍ରେସ ଦଳର ସଭ୍ୟ ସଂଖ୍ୟା ଆବଶ୍ୟକତାଠାରୁ କମି ଯାଇଥିଲେ ମଧ୍ୟ ଶ୍ରୀ ମିଶ୍ର ବିରୋଧୀ ଦଳ ନେତା ପଦ ବଜାୟ ରଖିଥିଲେ।

ଚଳିତ ବିଧାସଭାର ସଭ୍ୟ ଥିବା ବେଳେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ଆକସ୍ମିକ ବିୟୋଗ ଘଟିଥିଲା। ତେବେ ବିଜେପୁର ଉପନିର୍ବାଚନରେ ତାଙ୍କର ପତ୍ନୀ ରୀତାରାଣୀ ସାହୁ ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ। ତେଣୁ ବିଜେଡିର ସଭ୍ୟ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଥିଲା।

ବିଦାୟୀ ବିଧାନସଭାର ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ସଂସଦ ଓ ରାଜ୍ୟ ବିଧାନସଭାମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିବା। ସେହିପରି ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ଏବଂ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଗ କରିବା ପାଇଁ ଦୁଇଟି ପ୍ରସ୍ତାବ ମଧ୍ୟ ଗୃହରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା। ରାଜ୍ୟରେ ଏକ ବିଧାନ ପରିଷଦ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ଗତବର୍ଷ ସେପ୍ଟେମ୍ବର ମାସରେ ବିଧାନସଭାରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ତେବେ ବିଧାନ ପରିଷଦ ଗଠନ ଏବଂ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ିବା ଦିଗରେ ବିଶେଷ କିଛି ଅଗ୍ରଗତି ହୋଇନାହିଁ।

ସମ୍ବନ୍ଧିତ ଖବର