ଭଦ୍ରକ/ଧାମନଗର/ତିହିଡ଼ି: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ତିନି ପ୍ରମୁଖ ଦଳର ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିଛି। ବିଶେଷକରି, ବିଜେଡି ଓ ବିଜେପି ଦମ୍‌ଦାର ଢଙ୍ଗରେ ନିଜନିଜର ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସବୁପ୍ରକାର କୌଶଳ ଆପଣାଇଛନ୍ତି। ଅନ୍ତିମ ଦିନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ପ୍ରଚାର କରିଛନ୍ତି। ସେହିଭଳି ବିଜେଡି ପ୍ରାର୍ଥି ଅବନ୍ତୀ ଦାସଙ୍କ ସପକ୍ଷରେ ବହୁ ମନ୍ତ୍ରୀ, ବିଧାୟକ ଓ ସିନେତାରକା ପ୍ରଚାର କରିଛନ୍ତି।

Advertisment

ଶେଷଦିନରେ ଘମାଘୋଟ ପ୍ରଚାର

ପ୍ରଚାରର ଶେଷ ଦିନରେ ଧୁଷୁରି ପଞ୍ଚାୟତର ବାସନ୍ତୀ ପଡ଼ିଆ ଠାରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିଧା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। ରାଜ୍ୟରେ ଦୀର୍ଘ ୨୨ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଜନତାଙ୍କୁ ପ୍ରଲୋଭନ ଦେଖାଇବାକୁ ପଡ଼ୁଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ଭାଷଣକୁ ନେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏବେ ଧାମନଗରବାସୀଙ୍କ ଦାୟିତ୍ୱ ନେବା କଥା କହୁଛନ୍ତି। ୧୮ ମାସରେ ୫ ବର୍ଷର କାମ କରିବେ ବୋଲି କହୁଛନ୍ତି। ଏହାର ଅର୍ଥ କ’ଣ? ଯେଉଁମାନେ ବିଜେଡିକୁ ଭୋଟ ଦେଇନାହାନ୍ତି, ମୁଖ୍ୟମନ୍ତ୍ରୀ କ’ଣ ତାଙ୍କ ପାଇଁ କିଛି କରିବେ ନାହିଁ? ଭଦ୍ରକ ଓ ଧାମନଗରରେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ମେଡିକାଲ କଲେଜ, ଯୁବକଙ୍କ ପାଇଁ ରୋଜଗାର, ମୋଦି ସରକାର ଦେଉଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର, ଜଳସେଚନ, ସ୍ଥାନୀୟ ଅର୍ଥନୀତିକୁ ମଜବୁତ୍‌ କରିବା ପାଇଁ ମେଗା ଟେକ୍ସଟାଇଲ ପାର୍କର ଦାୟିତ୍ୱ ନେଲେ ନାହିଁ।

ଏବେ ପୁଣି କେଉଁ ଦାୟିତ୍ୱ ନେବାର କଥା କହୁଛନ୍ତି ? ଭଦ୍ରକରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ୧୭ ଫେବ୍ରୁଆରୀ, ୨୦୨୦ରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ ପତ୍ର ଲେଖିଥିଲି। ମେଡିକାଲ କଲେଜ ପାଇଁ ମୋଟ ଖର୍ଚ୍ଚର ୬୦ ଭାଗ ଅର୍ଥ କେନ୍ଦ୍ର ସରକାର ଦେବେ ବୋଲି କହିଥିଲି। ସରକାର ଏହି ମେଡିକାଲର ଦାୟିତ୍ୱ ନେଲେ କି? ବୈତରଣୀ, ଗେଙ୍ଗୁଟି, କୋଚିଲା ନଦୀ ଏ ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ବୈତରଣୀ ନଦୀରେ ବନ୍ୟା କାରଣରୁ ଭଦ୍ରକବାସୀ ହଇରାଣ ହେଉଛନ୍ତି। ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ସମାନ ଅଗ୍ରାଧିକାର ଦେଇ ଜଳ ଛଡ଼ାଯିବାର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରିବା ଦରକାର, ଯାହା ଏ ସରକାର କରିନାହିଁ। ସେହିପରି ଭଦ୍ରକ ଜିଲ୍ଲାରେ ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ଚିଠି ଲେଖିବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହାର ଉତ୍ତର ଏପର୍ଯ୍ୟନ୍ତ ମିଳିଲା ନାହିଁ। ଏହି ମେଗା ଟେକ୍ସଟାଇଲ ପାର୍କ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦରଖାସ୍ତ କରିଛନ୍ତି ନା ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ଏହାସହ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ନାଗ ଫାଶରେ ଏବେ ସମସ୍ତେ ପଡ଼ିଛନ୍ତି। ଏକ ବଡ଼ ଏଜେନ୍ସି ଏହାର ତଦନ୍ତ କରୁଛି। ଖୁବ୍‌ ଶୀଘ୍ର ସମସ୍ତେ ଧରାପଡ଼ିବେ। ଧର୍ମେନ୍ଦ୍ରଙ୍କ ଏହି ପ୍ରଚାର ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢ଼ୀ, ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

ସେହିପରି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଆଜି ବିଭିନ୍ନ ସ୍ଥାନରେ ଆୟୋଜିତ ରୋଡ୍‌ ସୋ’ରେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଅଭିନେତ୍ରୀ ସୂର୍ଯ୍ୟମୟୀ, ସୋଫିଆ ଆଲାମ, ଅଭିନେତା ତଥା ସାଂସଦ ମୁନା ଖାନ୍, ଅଭିନେତା କୁନା ତ୍ରିପାଠୀ ଓ ଅରିନ୍ଦମ ରାୟ ପ୍ରମୁଖ ପ୍ରଚାର କରିଥିଲେ। ଅଭିନେତ୍ରୀ ବର୍ଷା ତିହିଡ଼ି ବ୍ଲକର ଦୋଳସାହିଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଯାଇ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କର ଉନ୍ନତି କଥା ସବୁବେଳେ ଚିନ୍ତା କରୁଛନ୍ତି। ଧାମନଗରବାସୀ ଜଣେ ମହିଳାଙ୍କୁ ବିଧାୟକ ଭାବେ ବିଜୟୀ କରାଇଲେ ମହିଳାମାନଙ୍କ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ବିଜେଡି ନେତାମାନେ କହିଥିଲେ।

ମନ୍ତ୍ରୀ ‌ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ ଓ ଅଶ୍ବିନୀ ପାତ୍ରଙ୍କ ସମେତ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସୋର ବିଧାୟକ ପର୍ଶୁରାମ ଧଡ଼ା, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରିଷ୍ଠ ବିଜେଡି ନେତା ଅସିତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ରୁଜାତା ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧାମନଗର ବ୍ଲକ୍‌ରେ ବିଜେଡିର ମାରାଥନ୍ ପ୍ରଚାର କରାଯାଇଥିଲା। ଏହି ଅବସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଓ ସ୍ବାଧୀନ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଆଜି ଶେଷଦିନରେ ନିଜ ନିଜ ସପକ୍ଷରେ ପ୍ରଚାର କରିବା ସହ ଧାମନଗରବାସୀଙ୍କ ସହଯୋଗ କାମନା କରିଥିଲେ।