ଲିଜ୍ ଶେଷଦିନ ଡଙ୍କାରୀରେ ଛାନଭିନ୍,  ଡ୍ରୋନ୍ କ୍ୟାମେରା ଓ ବିଶେଷଜ୍ଞ ଦଳ ଦ୍ବାରା ମାପଚୁପ୍‌

କୋଟି କୋଟି ଟଙ୍କାର ରାଜସ୍ବ ଫାଙ୍କିର ଗୁମର ଖୋଲିବ

ଯାଜପୁର/ଚଢେଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍‌ର କଳାପଥର ‌କେଳେଙ୍କାରୀକୁ ନେଇ ଜିଲ୍ଲା ପ୍ରଶାସନ ନାକେଦମ ହେଲେଣି। ଲିଜ୍ ନାମରେ ମାତ୍ରାଧିକ ଖନନ କରି ଶହ ଶହ କୋଟି ଟଙ୍କା ରାଜସ୍ବ ଫାଙ୍କି କାରବାର ଧରାପଡ଼ିବା ପରେ ପ୍ରଶାସନ ପାଇଁ ଅଡୁଆ ବଢିଛି। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପ୍ରଥମଥର ଲିଜ୍ ଶେଷଦିନ ଖାଦାନ ଉପରେ ଚଢ଼ଉ କରିଛି। ଖାଦାନରୁ କେତେ ପରିମାଣ କଳାପଥର(ଗ୍ରାନାଇଟ୍) ଖନନ ହୋଇଛି ଏବଂ ସେଥିପାଇଁ ଅନୁମତି ଦିଆଯାଇଛି କି ନାହିଁ, ତାହାର ସବିଶେଷ ଅନୁସନ୍ଧାନ ଆରମ୍ଭ ହୋଇଛି। ଡଙ୍କାରୀ ପାହାଡ଼ରେ ହାଇକୋର୍ଟ ନିର୍ଦ୍ଦେଶ ବଳରେ ରଞ୍ଜନ ଜେନାଙ୍କ ଏକମାତ୍ର ଖାଦାନ ଚାଲିଥିଲା। ଗତ ୫ବର୍ଷ ମଧ୍ୟରେ ଶ୍ରୀ ଜେନା କେତେ କଳାପଥର ଖନନ କରିଛନ୍ତି, ଜିଲ୍ଲା ପ୍ରଶାସନ ଦ୍ବାରା ଡ୍ରୋନ୍ କ୍ୟାମେରା ଓ ବିଶେଷଜ୍ଞ ଦଳ ଦ୍ବାରା ତଦନ୍ତ କରାଯାଇଛି।

ଡଙ୍କାରୀ ପାହାଡ଼ରୁ କଳାପଥର ଖନନ ଉପରେ ରହିତାଦେଶ ରହିଥିବା ବେଳେ ଏକମାତ୍ର ଲିଜଧାରୀ ଶ୍ରୀ ଜେନା ହାଇକୋର୍ଟ ନ‌ିର୍ଦ୍ଦେଶ ବଳରେ ଖନନ କରିଆସୁଥିଲେ। ଅନୁମତି ଠାରୁ ଅତ୍ୟଧିକ କଳାପଥର ସୀମା ବାହାରକୁ ଯାଇ ଖନନ କରିଥିବା ଅଭିଯୋଗ ‌ହୋଇଥିଲା। ପ୍ରଶାସନ ପକ୍ଷରୁ ଏହାର ସମୀକ୍ଷା କରି ସବିଶେଷ ତଥ୍ୟ ସଂଗ୍ରହ ପାଇଁ ବୈଜ୍ଞାନିକ ପଦ୍ଧତିରେ ମାପଚୁପ କରାଯାଇଛି l ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ କ୍ଵାରି ନମ୍ବର ୪୪/୧୫-୧୬ରେ ୬.୭ ହେକ୍ଟର(୧୬ଏକର) ପରିମିତ କଳାପଥର ଖାଦାନରୁ ଉତ୍ତୋଳନ ଲାଗି ଲିଜଧାରୀ ରଞ୍ଜନ କୁମାର ଜେନାଙ୍କୁ ଅନୁମତି ଦିଆଯାଇଥିଲା l ଆଜି ଲିଜ୍ ଅବଧିର ଶେଷଦିନ ଥିବାରୁ ସୈରାତର ମାପଚୁପ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। l ରାଜ୍ୟ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ଏକ ସର୍ଭେ ସଂସ୍ଥା ଦ୍ୱାରା ଡ୍ରୋନ୍ କ୍ୟାମେରା ଓ ଜିପିଏସ୍‌ ବ୍ୟବହାର କରି ମାପଚୁପ କରାଯାଇଛି l

ସମ୍ବନ୍ଧିତ ଖବର