ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଚୟନ ହୋଇ ନିଯୁୁକ୍ତି ପାଇଥିବା ମେଡିକାଲ୍ ଅଫିସରଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରାଜ୍ୟ ସରକାର ଶେଷ ସୁଯୋଗ ଦେଇଛନ୍ତି। କୋଭିଡ୍-୧୯ ତାଲାବନ୍ଦକୁ ଦୃଷ୍ଟିରେ ରଖି କାର୍ଯ୍ୟରେ ଯୋଗଦେଇନଥିବା ଡାକ୍ତରମାନଙ୍କୁ ଚଳିତ ମାସ ୨୦ ତାରିଖ ସୁଦ୍ଧା ଚାକିରିରେ ଯୋଗଦେବାକୁ ସମୟ ଦେଇଛନ୍ତି। ଏ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶଥାଉକି, ନବନିଯୁକ୍ତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ମାର୍ଚ୍ଚ ମାସ ୪ ଓ ୨୧ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ସେମାନଙ୍କ ପାଇଁ ଗତମାସ ୨ ତାରିଖ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ସେମାନଙ୍କ ଭିତରୁ କେତେଜଣ ଚାକିରିରେ ଯୋଗଦେଇଥିବାବେଳେ ଆଉ କେତେକ ଯୋଗଦେଇ ପାରିନଥିଲେ। ପରେ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେତେଜଣ ଡାକ୍ତରଙ୍କୁ ଚିଠି କରାଯାଇଥିଲା। ଏବେ ସାନି ବିଜ୍ଞପ୍ତି ଅନୁଯାୟୀ, ବାକିଥିବା ଡାକ୍ତରମାନେ ତୁରନ୍ତ ସେମାନଙ୍କୁ ନିଯୁକ୍ତି ମିଳିଥିବା ଜିଲ୍ଲାର ସିଡିଏମ୍ ଓ ପିଏଚଓଙ୍କ ପାଖରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବଧି ଭିତରେ କାର୍ଯ୍ୟରେ ଯୋଗ ନ ଦେଲେ ଆଉ କୌଣସି ସଂପ୍ରସାରିତ ସମୟ ଦିଆଯିବନି ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଦେଇଛି।