ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମରଶରୀର ମଙ୍ଗଳବାର ଦିନ ଗୋଟାଏରେ ନୂଆପଡ଼ା ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବହୁ ଲୋକ ଦିବଂଗତ ନେତାଙ୍କ ଶେଷ ଦର୍ଶନ କରିଥିଲେ। ଅପରାହ୍ଣ ୪ଟାରେ ଖରିଆର ରୋଡ୍ ଜୋଙ୍କ ନଦୀକୂଳସ୍ଥିତ ମୁକ୍ତିଧାମରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ଗାର୍ଡ ଅଫ୍ ଅନର ପ୍ରଦାନ କରି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଜୟ ଢୋଲକିଆ ମୁଖାଗ୍ନି ଦେଇଥିଲେ। ବଡ଼ଭାଇ ଅତୁଲ ଢୋଲକିଆଙ୍କ ସହ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ସୋମବାର ଚେନ୍ନାଇ ଏମ୍ଜିଏମ୍ ଡାକ୍ତରଖାନାରେ ବିଧାୟକ ଶ୍ରୀ ଢୋଲକିଆଙ୍କ ପରଲୋକ ହେବା ପରେ ମଙ୍ଗଳବାର ଏକ ସ୍ବତନ୍ତ୍ର ଉଡ଼ାଜାହାଜରେ ତାଙ୍କ ମରଶରୀର ରାୟପୁର ପହଞ୍ଚିଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଖରିଆର ରୋଡ୍ ଜୋଙ୍କ ନଦୀଠାରେ ମରଶରୀର ପହଞ୍ଚିବା ପରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଏସ୍ପି ଅମ୍ରିତପାଲ ସିଂ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ଜୋଙ୍କ ନଦୀଠାରୁ ତାଙ୍କ ମରଶରୀରକୁ ଏକ ଗାଡ଼ିରେ ରଖି ଶୋଭାଯାତ୍ରାରେ ଖରିଆର ରୋଡ୍ ସହର ପରିକ୍ରମା ପରେ ନୂଆପଡ଼ା ଘାସିରାମ ମାଝୀ ଛକକୁ ଅଣାଯାଇଥିଲା। ଏହି ୧୦ କିମି ଶୋଭାଯାତ୍ରାରେ ଶତାଧିକ ଲୋକ ସାମିଲ ହୋଇଥିଲେ। ଘାସିରାମ ମାଝୀ ଛକରେ ହଜାର ହଜାର ଲୋକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ନୂଆପଡ଼ାରୁ ପୁଣି ଖରିଆର ରୋଡ୍କୁ ମରଶରୀର ଯାଇଥିଲା। ତାଙ୍କ ଘର ପାଖରେ ଥିବା ଜ୍ଞାନଜ୍ୟୋତି ସ୍କୁଲଠାରେ ଶେଷ ଦର୍ଶନ ପାଇଁ ମରଶରୀର ରଖାଯାଇଥିଲା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପଦ୍ମପୁର ବିଧାୟକ ବର୍ଷା ସିଂହ ବରିହା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ଟୁକୁନି ସାହୁ, ରୀତା ସାହୁ, ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ, ଆୟୁବ ଖାନ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ଉପସଭାପତି ଦୀପିକା ଦୀପ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ, ଭରତଲାଲ ରାଉତ, ସ୍ମୃତି ସିଂ ମାଝୀ, ଉମା ଠାକୁର, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ସୌନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା, ଜିଲ୍ଲା କ୍ରିକେଟ୍ ସଂଘ ସମ୍ପାଦକ ସରୋଜ ସାହୁ, ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ଘାସିରାମ ମାଝୀ, ଜିଲ୍ଲା ବିଜେଡି ସଂପାଦକ ସୁଧୀର ମିଶ୍ର, ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଧନିରାମ ସାହୁ, ପ୍ରେମ ସାହୁଙ୍କ ସହ ବିଭିନ୍ନ ସଂଗଠନର ହଜାର ହଜାର ଲୋକ ଶେଷ ଦର୍ଶନ କରି ରାଜେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ନୂଆପଡ଼ା, ଖରିଆର ରୋଡ୍, ତରବୋଡ଼ରେ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଦୋକାନ ବଜାର ସକାଳ ୬ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/10/untitled-17-2025-09-10-07-24-20.jpg)