ବଡ଼କେରା : ଦିନ କେଇଟାରେ ନେଇଥାନ୍ତେ ଅବସର। ସେତେବେଳ ସ୍କୁଲ୍ ଛୁଟି ପଡ଼ୁଥିବାରୁ ଆଗୁଆ କରାଯାଇଥିଲା ଅବସର ସମ୍ବର୍ଦ୍ଧନା ଉତ୍ସବ। ହେଲେ ଏହି ବିଦାୟକାଳୀନ ଉତ୍ସବ ହୋଇଥିଲା ତାଙ୍କ ଜୀବନର ଶେଷ ଉତ୍ସବ। ବକ୍ତବ୍ୟ ଦେଉଥିବା ବେଳେ ଟଳି ପଡ଼ିଥିଲେ ପ୍ରଧାନ ଶିକ୍ଷକ। ଏପରି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ବ୍ଲକ୍ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ତଗିଲ ଗାଁର ରବିନାରାୟଣ ପାଣିଗ୍ରାହୀ ଏହି ସ୍କୁଲ୍ର ପ୍ରଧାନ ଶିକ୍ଷକ ଥିଲେ। ଆସନ୍ତା ୩୦ ତାରିଖରେ ସେ ଅବସର ନେଇଥାନ୍ତେ। ଆଗକୁ ଦଶହରା ଛୁଟି ପଡ଼ୁଥିବାରୁ ଶନିବାର ଦିନ ସ୍କୁଲ୍ ପରିସରରେ ତାଙ୍କୁ ଆଗୁଆ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିଲା। ଏହି ସଭାରେ ସେ ବକ୍ତବ୍ୟ ଦେବାବେଳେ ସେ ହଠାତ ଅସୁସ୍ଥ ହୋଇ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ସରଳ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।