ସାମାଜିକ ବାସନ୍ଦ କାରଣରୁ ୬ ଘଣ୍ଟା ପଡ଼ି ରହିଲା ଶବ, ଭିନ୍ନ ଜାତିରେ ବାହା ହୋଇଥିବାରୁ କାନ୍ଧ ଦେଲେନି ଜାତିଭାଇ

ସମ୍ବଲପୁର: ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ୬ ଘଣ୍ଟା ଧରି ପଡ଼ି ରହିବା ଭଳି ଅଭାବନୀୟ ଘଟଣା ଘଟିଛି ରେଂଗାଲି ବ୍ଲକ୍‌ ବାବୁଖିଣ୍ଡା ଗାଁରେ। ଗାଁ’ର ସୁଶୀଲ ବାଗ (୪୨) କିଛି ବର୍ଷ ତଳେ ଭିନ୍ନ ଜାତିର ଜଣେ ମହିଳାଙ୍କୁ ବିବାହ କରିଥିଲେ। ସେହି କାରଣରୁ ତାଙ୍କୁ ଜାତିରୁ ବାସନ୍ଦ କରାଯାଇଥିଲା। ଏହା ପରେ ତାଙ୍କ ପରିବାର ବିଭିନ୍ନ ସାମାଜିକ ସମସ୍ୟା ଭୋଗି ଆସୁଥିଲା। କିଛି ଦିନ ତଳେ ସୁଶୀଲ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ମଙ୍ଗଳବାର ଦିନ ସାଢ଼େ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଅନ୍ୟ ଜାତିରେ ବିବାହ କରିବାର ଦଣ୍ଡ ତାଙ୍କୁ ମୃତ୍ୟୁ ପରେ ବି ଭୋଗିବାକୁ ପଡ଼ିଥିଲା। ତାଙ୍କ ଶବକୁ କାନ୍ଧ ଦେବା ପାଇଁ ଜାତି ସମାଜର କେହି ଆସି ନଥିଲେ।

ଖବର ପାଇ ଖିଣ୍ଡାସ୍ଥିତ ମାତୃଭୂମି ସ୍ବେଚ୍ଛାସେବୀ ସଂଗଠନର ଉପସଭାପତି ଉମାକାନ୍ତ ନାଥ ଏବଂ ସଦସ୍ୟ ସୁଶୀଲ ପାତ୍ର ଯାଇ ଶବସତ୍କାରର ବ୍ୟବସ୍ଥା କରାଇଥିଲେ। ଶବକୁ କାନ୍ଧରେ ବୋହି ଦାହ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ। ସେଠାରେ ବିଧି ମୁତାବକ ତାଙ୍କ ‌ଅନ୍ତିମ ସଂସ୍କାର କରିଥିଲେ। ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିବା ମାତୃଭୂମି ସ୍ବେଚ୍ଛାସେବୀଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରା ଯାଇଥିବା ବେଳେ ଆଧୁନିକ ସମୟରେ ବି ଜାତିବାଦର କୁପରିଣାମ ସମାଜ ସୁଧାରକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର