ସ୍ୱର୍ଗଦ୍ୱରରେ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ : ରବିବାର ଦିନ ପୁରୀ ସ୍ବର୍ଗଦ୍ବାରଠାରେ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା, ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡ. ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀର ସ୍ବର୍ଗଦ୍ବାରକୁ ଅଣାଯାଇଥିଲା। ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କନୱାର ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଓ ରିଜର୍ଭ ଇନ୍‌ସ୍ପେକ୍ଟର ଚନ୍ଦ୍ରଶେଖର ଦାଶ ପ୍ରମୁଖ ସ୍ବର୍ଗତା ମହାପାତ୍ରଙ୍କର ଅନ୍ତିମ ଦର୍ଶନ କରିଥିଲେ। ଜ୍ୟେଷ୍ଠ୍ୟ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେବା ପରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯାଇଥିଲେ। ଏହି ଅବସରରେ ସ୍ବର୍ଗତା ମହାପାତ୍ରଙ୍କ ଝିଅ ସୁଚିସ୍ମିତା ମିଶ୍ର, ଜାମାତା ଅରୁଣ ମିଶ୍ର, ଶୈଳରାଣୀ ମିଶ୍ର, ଜ୍ଞାତି କୁଟୁମ୍ବ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ବିୟୋଗରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଶୋକ ବ୍ୟକ୍ତ କରିଛନ୍ତି। ଆଠଗଡ଼ ମାଟି ଆଜି ତାର ଜଣେ ସୁପୁତ୍ରୀକୁ ହରେଇଛି। ତାଙ୍କର ବିୟୋଗରେ ଓଡ଼ିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର