ରାଇକିଆରୁ ଜନ୍ମମାଟି ଯାଏ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି, ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ଫୁଲବାଣୀ/ରାଇକିଆ : କନ୍ଧମାଳ ମାଟିର ପୁଅ ସହିଦ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀରେ ପହଞ୍ଚିଥିଲା। ପୁଲିସ ରିଜର୍ଭ ପଡ଼ିଆରେ ପାର୍ଥିବ ଶରୀର ରହିଥିବା ବେଳେ ଆଜି ସକାଳେ ବହୁ ବ୍ୟକ୍ତିବିଶେଷ ବୀର ଯବାନଙ୍କୁ ଶ୍ରଦ୍ଦାଞ୍ଜଳି ଜଣାଇଥିଲେ। ଏହାପରେ ପାର୍ଥିବ ଶରୀରକୁ ରାଇକିଆର ମହୋତ୍ସବ ପଡ଼ିଆକୁ ନିଆଯାଇଥିଲା। ସେଠାରେ ଅଞ୍ଚଳବାସୀ ଶେଷଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ , ଜିଲ୍ଲାପାଳ ଡା.ବୃନ୍ଦା ଡି, ଏସ୍‌.ପି ପ୍ରତୀକ ଗୀତା ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବନାଥ ବାରିକ, ଆଇଏଏସ୍‌ ପ୍ରୋବେସନର ଡା.ଶୁଭଙ୍କର ମହାପାତ୍ରଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଜନପ୍ରତିନିଧି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଜନ୍ମମାଟି ବିଅରପଙ୍ଗା ଅଭିମୁଖେ ପାର୍ଥିବ ଶରୀର ଗଲାବେଳେ ରାସ୍ତାର ଦୁଇ ପାର୍ଶ୍ବରେ ହଜାର ହଜାର ଲୋକ ମାଟିର ପୁଅ ସହିଦ ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ଲୁହଭରା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜନ୍ମମାଟିରେ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର, ଜ୍ଞାତିକୁଟୁମ୍ବ ବୁକୁ ଫଟାଇ କାନ୍ଦୁଥିବା ବେଳେ ଗାଁର ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା। କିଛି ସମୟ ପାଇଁ ପାର୍ଥିବ ଶରୀର ସେଠାରେ ରହିଥିଲା। ପରିବାର ଓ ଗ୍ରାମବାସୀ ଶେଷଦର୍ଶନ କରିବା ପରେ ରାଷ୍ଟୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

କରୁଣାକର ପ୍ରଧାନ ଓ ବିଳାସିନୀ ପ୍ରଧାନଙ୍କ ବଡ଼ ପୁଅ ଚନ୍ଦ୍ରକାନ୍ତ ଗତ ୨୦୧୪ ମସିହାରେ ସେନାବାହିନୀରେ ଯୋଗ ଦେଇଥିଲେ। ଗତ ଡିସେମ୍ବରରେ ଛୁଟିରେ ଘରକୁ ଆସି ଫେବ୍ରୁଆରିରେ କର୍ମସ୍ଥଳକୁ ଫେରିଥିଲେ। ଜୁନ ୧ ତାରିଖରେ ପରିବାର ସହ ଚନ୍ଦ୍ରକାନ୍ତ ଶେଷ ଥର ପାଇଁ କଥା ହୋଇଥିଲେ। ହେଲେ ଗତ ୧୫ ତାରିଖରେ ଚୀନ ସେନା ସହ ସଂଘର୍ଷରେ ସେ ଦେଶ ପାଇଁ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର