ପଞ୍ଚଭୂତରେ ବିଲୀନ ସହିଦ ନୁଦୁରାମ

ଜନ୍ମମାଟିରେ ଭାବବିହ୍ବଳ ପରିବେଶ

ରାଇରଙ୍ଗପୁର/ବିଜାତଳା : ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହୋଇଛି, ସହିଦ ନୁଦୁରାମ ସୋରେନଙ୍କ ଶେଷକୃତ୍ୟ। ନୂଆ ଘର ରାଇରଙ୍ଗପୁର ଇଚିଣ୍ଡାରୁ ବାହାରିଥିଲା ସହିଦଙ୍କ ଅନ୍ତିମ ଶୋଭାଯାତ୍ରା। ଶହ ଶହ ଲୋକ ରାସ୍ତାରେ ଠିଆ ହୋଇ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମସ୍ତେ କାନ୍ଦୁଥିଲେ ମାଟିର ପୁଅ ନୁଦୁରାମଙ୍କ ପାଇଁ। ଶେଷରେ, ପୈତୃକ ଗ୍ରାମ ବଡ଼ଚମ୍ପାଉଦାରେ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ସହିତ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।

ପୂର୍ବ ଲଦାଖ ଗଲୱାନ ଘାଟିରେ ଚୀନ୍‌ ସେନାଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନୁଦୁରାମ। ଗତକାଲି ସନ୍ଧ୍ୟା ୬ଟା ସମୟରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ସହିଦଙ୍କ ମରଶରୀର ଭୁବନେଶ୍ବରଠାରେ ପହଞ୍ଚିଥିଲା। ସେହି ରାତି‌ରେ ସହିଦଙ୍କ ମରଶରୀରକୁ ଜନ୍ମମାଟି ରାଇରଙ୍ଗପୁର ଅଞ୍ଚଳକୁ ଅଣାଯାଇଥିଲା। ରାତି ୩ଟା ସମୟରେ ପରିବାର ବାସସ୍ଥାନ ଇଚିଣ୍ଡାଠାରେ ମରଶରୀର ପହଞ୍ଚିଥିଲା। ଆଜି ସକା‌ଳ ୬ଟାଠାରୁ ପୈତୃକ ଗ୍ରାମ ବଡ଼ଚମ୍ପାଉଦାକୁ ଅଣାଯାଇ ସେହିଠାରୁ ଶୋଭାଯାତ୍ରାରେ ଆରମ୍ଭ ହୋଇଥିଲା। ବୀର୍ ଯବାନଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ ପାଇଁ ଅପେକ୍ଷା କରିଥିବା ସ୍ଥାନୀୟ ଲୋକମ‌ାନଙ୍କ ଗହଳି ଲାଗିରହିଥିଲା। ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର୍‌ ଦିଆଯାଇଥିଲା। ଭାରତୀୟ ସେନାବାହିନୀ ପକ୍ଷରୁ ବରିଷ୍ଠ ଅଧିକାରୀ ସି ଚନ୍ଦ୍ର ଶେଖର, ଲେଫ୍ଟେନାଣ୍ଟ ଜେନେରାଲ ରାଜୀବ ଚୋପ୍ରା ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ସହିଦ ଯବାନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସ୍‌ପି ସ୍ମିଥ୍ ପି ପରମାର ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଓଡିଶା ସରକାରଙ୍କ ପକ୍ଷରୁ ଘୋଷଣା କାରାଯାଇଥିବା ୨୫ ଲକ୍ଷ ଟଙ୍କାର ଚେକ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସହିଦ ନୁଦୁରାମଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ। ସମ୍ପୂର୍ଣ୍ଣ ସାନ୍ତାଳୀ ରୀତିନୀତିରେ ନୁଦୁରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ମାଝୀ ବାବା ରାଜେନ୍ଦ୍ର ମାଝୀଙ୍କ ମାର୍ଗଦର୍ଶନରେ ନୁଦୁରାମଙ୍କ ମରଶରୀରକୁ ପୈତୃକ ଘର ଅଗଣାରେ ରଖାଯାଇ ତାଙ୍କ ହାତ ମୁଠାରେ ଧଳାଧାନ ଦିଆଯାଇଥିଲା। ପରେ ତାହାକୁ ନେଇ ଘରେ ରଖାଯାଇଥିଲା। ଯାହାକି ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବୋଲି ସମାଜରେ ବିଶ୍ୱାସ। ପରେ ପାଞ୍ଚ ପଞ୍ଚାୟତ (ମଣେ ହଳ) ମର ଶରୀରକୁ କାନ୍ଧ ଦେଇ ଶ୍ମଶାନ ଜୁଇ ପର୍ଯ୍ୟନ୍ତ ଆଣିଥିଲେ। ପୂର୍ବାହ୍ନ ୧୦ଟା ସମୟରେ ନୁଦୁରାମଙ୍କ ବଡ଼ଭାଇ ଦାସମାତ ମାଝୀଙ୍କ ୧୧ ବର୍ଷର ପୁଅ କାହ୍ନୁ ମୁଖାଗ୍ନି ଦେଇଥିଲେ। ସହିଦ ନୁଦୁରାମଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହେଉଥିବାବେଳ ଏକ ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତଙ୍କ ମୁହଁରୁ ଶୁଭୁଥିଲା ସହିଦଙ୍କ ଜୟଜୟକାର ସ୍ବର।

ସମ୍ବନ୍ଧିତ ଖବର