ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ଯାତ୍ରା ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ। ପରିବାର ଲୋକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର କ୍ୟାପିଟାଲ ହସ୍ପିଟାଲରୁ ବାହାରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଭିମୁଖେ ଯାଇଛି। ଏଠାରେ ଓଡ଼ିଆ ଫିଲ୍ମ, ଟେଲିଭିଜନ ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହା ପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର ସଙ୍ଗୀତ ମହାବିଦ୍ୟାଳୟରୁ ତାଙ୍କର ପ୍ରାଚୀବିହାରସ୍ଥିତ ବାସଭବନ ଅଭିମୁଖେ ଯିବ। ପ୍ରାଚୀ ବିହାରସ୍ଥିତ ରାଇମୋହନଙ୍କ ଘରେ ପରିବାର, ବନ୍ଧୁବର୍ଗ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଶେଷରେ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ବାହାରିବ।
/sambad/media/post_attachments/wp-content/uploads/2022/06/32df8b20-88db-4556-9ab1-1bf57d35aa5e.jpg)
ସୂଚନାଯୋଗ୍ୟ, ରାଇମୋହନ ପରିଡ଼ାଙ୍କ ଦୁଇ ଚକ୍ଷୁ ଦାନ ଦିଆଯାଇଛି। ଭୁବନେଶ୍ବରସ୍ଥିତ ଏଲ ଭି ପ୍ରସାଦ ଇନଷ୍ଟିଚ୍ୟୁଟର ମେଡିକାଲ ଷ୍ଟାଫ୍ ରାଇମୋହନ ପରିଡ଼ାଙ୍କ ଚକ୍ଷୁ ଗ୍ରହଣ କରିଛନ୍ତି। ଏ ନେଇ ଏଲ ଭି ପ୍ରସାଦ ଇନଷ୍ଟିଚ୍ୟୁଟର କାଉନସେଲର୍ ରାଇମୋହନଙ୍କ ଦୁଇ ଝିଅଙ୍କୁ ଚକ୍ଷୁଦାନର ପ୍ରମାଣପତ୍ର ଦେଇଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆକସ୍ମିକ ବିୟୋଗ ମନୋରଞ୍ଜନ ଜଗତ ପାଇଁ ଏକ ଶକ୍ତ ଧକ୍କା। ଯଦିଓ ଅଭିନୟ ଦୁନିଆରେ ସେ ଖଳନାୟକୀ ଲାଗି ପରିଚୟ ଅର୍ଜନ କରିଥିଲେ, ବାସ୍ତବରେ ଜଣେ ଖଳନାୟକ ନୁହେଁ, ବରଂ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନାୟକ ଥିଲେ ରାଇମୋହନ। ସେ ଆଜି ରାଜଧାନୀର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ରାଇମୋହନ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/8ae488e7-5ccf-4ff1-8307-33e20639c829.jpg)