ଜନ୍ମଭୂମିରେ ସହିଦଙ୍କୁ ସଲାମ ! ଭୁବନେଶ୍ୱରରେ ଦୁଇ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ଜଣାଇଛି ତା’ର ଦୁଇ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଜମ୍ମୁକଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ସିଆର୍‌ପିଏଫ୍‌ କର୍ମୀ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବା ପରେ ସୃଷ୍ଟି ହୋଇଥିଲା ଭାବଗମ୍ଭୀର ପରିବେଶ। ନେତା, ଜନତା,ସୁରକ୍ଷାକର୍ମୀ,ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମକର୍ମୀ ଆଦି ସବୁ ଶ୍ରେଣୀର ବ୍ୟକ୍ତିଙ୍କର ହଜାର ହଜାର ସଂଖ୍ୟାରେ ଭିଡ଼ ଜମିଥିଲା ବିମାନବନ୍ଦରରେ। ଏଥିସହ ସହିଦଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ଅତ୍ୟନ୍ତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସେମାନଙ୍କ ଲୁହ ଛଳ ଛଳ ଆଖି ଦେଖି ଅନ୍ୟମାନଙ୍କ ଆଖିରେ ବି ଜକେଇ ଆସିଥିଲା ଲୁହ। ପୁଲିସ ବାହିନୀ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ତୋପ ସଲାମୀ ଦିଆଯାଇଥିଲା।

ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନା ଏବଂ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଦୁଇ ଯବାନଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ରାଜ୍ୟ ପୁଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ମଧ୍ୟ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

ଏହାପରେ ଦୁଇଟି ସ୍ୱତନ୍ତ୍ର ଗାଡ଼ିରେ ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀର ଜଗତସିଂହପୁର ଜିଲ୍ଲାର ନାଉଗାଁର ପାରିଶିଖର ଗାଁକୁ ଏବଂ ସହିଦ ମନୋଜ କୁମାର ବେହେରାଙ୍କ ଶରୀର କଟକ ଜିଲ୍ଲାର ନିଆଳି ବ୍ଲକ୍‌ ଅନ୍ତର୍ଗତ ରତନପୁରକୁ ପଠାଯାଇଛି। ପୈତୃକ ଗ୍ରାମରେ ଦୁଇ ସହିଦଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର