ବରଗଡ଼: ବିଜେଡିରେ ଯୋଗଦାନ ପରେ ନବ ଦାସ ରାଜନୀତିରେ ଆହୁରି ସକ୍ରିୟ ରହିଥିଲେ। ତାଙ୍କ ସାମର୍ଥ୍ୟଙ୍କୁ ଠଉରାଇ ମନ୍ତ୍ରୀମଣ୍ଡଳରେ ବି ତାଙ୍କୁ ସ୍ଥାନ ମିଳିଥିଲା। ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଉପନିର୍ବାଚନରେ ତାଙ୍କୁ ଗୁରୁଦାୟିତ୍ବ ମିଳିଥିଲା। ରାଜନୀତିରେ ପୋଖତ ସ୍ବର୍ଗତ ଦାସଙ୍କୁ ପଦ୍ମପୁର ଉପନିର୍ବାଚନରେ ଦଳ ଦାୟିତ୍ବ ଦେଇଥିଲା। ଏହି ଉପନିର୍ବାଚନ ହିଁ ତାଙ୍କ ଶେଷ ରାଜନୀତି ଗୋଟି ଚାଳନା ଦେଖିଥିଲା। ଧାମନଗରରେ ପରାଜୟ ପରେ ବିଜେଡି କୌଣସି ହିସାବରେ ପଦ୍ମପୁର ଆସନ ହାତଛଡ଼ା କରିବାକୁ ପ୍ରସ୍ତୁତ ନଥିଲା। ତେଣୁ ପଶ୍ଚିମ ଓଡ଼ିଶାର ନେତାଙ୍କୁ ସବୁ ଦାୟିତ୍ବ ଦିଆଗଲା। ବଛାବଛା ନେତାଙ୍କୁ ବ୍ଲକ୍, ପଞ୍ଚାୟତ ଏବଂ ଏନ୍ଏସିର ଦାୟିତ୍ବ ବଣ୍ଟାଗଲା। ନବ ଦାସଙ୍କୁ ମିଳିଲା ପାଇକମାଳର ଦାୟିତ୍ବ। ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପାଇକମାଳର ମୂଳ ବାସିନ୍ଦା। ତେଣୁ ତାଙ୍କରି ଇଲାକାରେ ତାଙ୍କୁ ମାତ୍ ଦେବା ପାଇଁ ସ୍ବର୍ଗତ ଦାସଙ୍କୁ ଦଳ ବାଛିଥିଲା। ସ୍ବର୍ଗତ ଦାସ ଦଳୀୟ ନେତୃବୃନ୍ଦଙ୍କୁ ନିରାଶ କରିନଥିଲେ। କାରଣ ପାଇକମାଳ ବ୍ଲକ୍ରୁ ବିଜେଡିକୁ ଅାଶ୍ଚର୍ଯ୍ୟଜନକ ଫଳାଫଳ ମିଳିଥିଲା। ପାଇକମାଳ ବ୍ଲକ୍ରେ ଶ୍ରୀ ପୁରୋହିତଙ୍କୁ ୨୭,୧୩୨ ଭୋଟ୍ ମିଳିଥିବାବେଳେ ବର୍ଷା ୪୨,୭୮୦ ଭୋଟ୍ ହାତେଇଥିଲେ। ଯାହା ବିଜେପି ପାଇଁ ସବୁଠୁ ବଡ଼ ଝଟ୍କା ଏବଂ ବିଜେଡି ପାଇଁ ସୁଖଦ ଅନୁଭୂତି ରହିଥିଲା।
ତେବେ ପ୍ରଚାର ବେଳେ ସ୍ବର୍ଗତ ଦାସ ବହେ ଝାଳ ବୁହାଇଥିଲେ। କିନ୍ତୁ ତାଙ୍କ ଝିଅ ଦିପାଳୀଙ୍କ ପାଇଁ ମଇଦାନ ପ୍ରସ୍ତୁତ କରୁଥିବା ସେତେବେଳକୁ ଜୋର୍ଦାର୍ ଚର୍ଚ୍ଚା ହୋଇଥିଲା। ଉପନିର୍ବାଚନ ବେଳେ ତାଙ୍କ ଗତିବିଧିକୁ ଠଉରାଇ ରାଜନୀତି ସମୀକ୍ଷକ ଗୁଡ଼ାଏ ମତ ରଖିଲେ। ସ୍ବର୍ଗତ ଦାସ ବରଗଡ଼ ଲୋକସଭା ଆସନରୁ ଲଢ଼ି ଝିଅ ଦୀପାଳିଙ୍କ ପାଇଁ ଝାରସୁଗୁଡ଼ା ବିଧାନସଭା ଆସନ ଛାଡ଼ି ଦେବେ ବୋଲି ଅାକଳନ କରାଯାଉଥିଲା। କିନ୍ତୁ ତାଙ୍କ ଅବର୍ତମାନରେ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ସମୀକରଣ ପୁଣି ବିଗିଡ଼ି ଯାଇଛି। ପୁରୁଣା ହିସାବକିତାବ ପୁଣି ପଲଟି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/20.jpg)