ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା  ଥାନା ଅନ୍ତର୍ଗତ ଲସ୍ତଲା ଗ୍ରାମର ନୀଳାଚଳ ସାହୁଙ୍କ ହତ୍ୟା ମାମଲାରେ ଗୁରୁବାର ଉଲୁଣ୍ଡା ପୁଲିସ ହତ୍ୟାକାରୀ ତାଙ୍କ ବାପା ବନମାଳୀ ସାହୁ (୭୦) ଓ କକା ମୋହନା ସାହୁ (୬୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ଚନ୍ଦ୍ର ମୋହନ ସିଂ ସୂଚନା ଦେଇଛନ୍ତି।

Advertisment

ଗତ ମେ’ ୧୯ ତାରିଖରେ ଉଲୁଣ୍ଡା ଥାନା ନିକଟରେ ଥିବା ମାଉଲିମାଲ ନିକଟ ଚାଷ ଜମିରୁ ନୀଳାଚଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏସ୍‌ଡିପିଓ ଧିରଜ ଚୋପଦାର ଓ ବଲାଙ୍ଗୀରର ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ନୀଳାଚଳଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉଲୁଣ୍ଡା ପୁଲିସ ଛାନ୍‌ଭିନ୍ କରିଥିଲା। ଏହି ମାମଲାରେ ବାପା ବନମାଳୀ ଓ କକା ମୋହନାଙ୍କୁ ଆଜି ଗିରଫ କରିଛି। ବନମାଳୀ ପୁଅକୁ ହତ୍ୟା କରିଥିବା ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଘଟଣା ଦିନ ବନମାଳୀ ଓ ପୁଅ ନୀଳାଚଳ ମଧ୍ୟରେ କୌଣସି କଥାକୁ ନ‌େଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବନମାଳୀ ଏକ ଠେଙ୍ଗାରେ ଆଘାତ ଦେଇଥିଲେ। ତାହା ନୀଳାଚଳଙ୍କ ମୁଣ୍ଡରେ ବାଜିଥିଲା ଓ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ବନମାଳୀ ଓ ତାଙ୍କ ଭାଇ ମୋହନା ମୃତଦେହକୁ ଆଣି ମାଉଲିମାଲ ନିକଟ ଚାଷ ଜମିରେ ଫୋପାଡ଼ି ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ।