ଭୁବନେଶ୍ୱର: ରଥଯାତ୍ରାକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରୟାସ ଆରମ୍ଭ କରି ଟୁଇଟରରେ ଏକ ପୋଷ୍ଟ କରି ଏଥିପାଇଁ ପରାମର୍ଶ ଲୋଡିଛନ୍ତି । ବିଶେଷ କରି ରଥଯାତ୍ରା ଭିଡ ସମୟରେ ଶ୍ରଦ୍ଧାଳୁମାନେ ପାଣି ଟ୍ୟାପ୍‌ ପର୍ଯ୍ୟନ୍ତ ଯାଇପାରୁ ନ ଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବୋତଲ ପାଣି ଯୋଗାଇ ଦିଆଯାଇଥାଏ। ହେଲେ ଆଗାମୀ ବର୍ଷ ଅର୍ଥାତ ୨୦୨୦ରେ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଚିନ୍ତା କରୁଛି ।

Advertisment

publive-image

ତେବେ ବୋତଲ ପାଣି ସ୍ଥାନରେ କ’ଣ ବିକଳ୍ପ ବ୍ୟବହାର କଲେ ଭଲହେବ, ସେନେଇ ପ୍ରସ୍ତାବ ପୁରୀ ଜିଲ୍ଲାପାଳ ମାଗିଛନ୍ତି। ଏଥର ରଥଯାତ୍ରାକୁ ଆଂଶିକ ପ୍ଲାଷ୍ଟିକ ମୁକ୍ତ କରାଯାଇ ପାରିଛି । ପାଣି ପାଉଚ୍‌ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଥିଲା । ବ୍ୟବହାର ପରେ ସହରରେ ପଡିରହୁଥିବା ପାଣି ପାଉଚଗୁଡ଼ିକ ନାଳ ନର୍ଦ୍ଦମାକୁ ଜାମ୍‌ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ହେଲେ ରଥଯାତ୍ରା ଭିଡ ସମୟରେ ଶ୍ରଦ୍ଧାଳୁଙ୍କୁ ବୋତଲ ପାଣି ଯୋଗାଇ ଦିଆଯାଇଥିଲା ।

publive-image

କିନ୍ତୁ ରଥଯାତ୍ରା ଓ ବାହୁଡା ଦୁଇ ଦିନରେ ପୁରୀ ସହରରୁ ୨ଶହ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ବାହାରିଥିବା ଜଣାପଡିଛି। ତେବେ ଆଗାମୀ ରଥଯାତ୍ରାରେ ଡସ୍ପୋଜେବଲ ପେପର ଗ୍ଲାସରେ ପାଣି ଯୋଗାଇ ଦେବାକୁ ଚିନ୍ତା କରୁଛି ପୁରୀ ଜିଲ୍ଲା ପ୍ରଶାସନ ଅର୍ଥାତ ବଡଦାଣ୍ଡର ଏକାଧିକ ସ୍ଥାନରେ ପାଣି ଟ୍ୟାଙ୍କର ଉପଲବ୍ଧ ରହିବ ଏବଂ ସ୍ୱଚ୍ଛାସେବୀଙ୍କ ଜରିଆରେ ଭକ୍ତଙ୍କୁ ଏହି ପେପର ଗ୍ଲାସରେ ପାଣି ଯୋଗାଇ ଦିଆଯିବ । ସେହିପରି ଛୋଟ ଦୋକାନୀ, ହୋଟେଲ ଓ ରେଷ୍ଟୁରାଂଟଗୁଡିକୁ ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ସଚେତନ କରାଯିବ।