ଓଡ଼ିଆ ସିନେମାରେ ଲତାଙ୍କ ଛାପ: ଆଜି ମୁଁ ଶ୍ରାବଣୀ…

ପାଞ୍ଚ ଦଶନ୍ଧି ତଳର ଗୀତ ଏବେ ବି ଗୁଞ୍ଜରିତ, ଶାନ୍ତନୁ ମହାପାତ୍ରଙ୍କ ନିର୍ଦେଶନାରେ ଗାଇଥିଲେ ଗୀତ

ଭୁବନେଶ୍ବର : ଚାଲିଗଲେ ସ୍ୱର ସମ୍ରାଜ୍ଞୀ ଲତା‌ ମଙ୍ଗେସକର। ସଙ୍ଗୀତ ଦୁନିଆରେ ଏକ ଯୁଗର ଅବସାନ ହେଲା। ଲତା ନିରବି ଯାଇଥିଲେ ମଧ୍ୟ ତାଙ୍କର ସୁମଧୁର ସ୍ବର ଅମର ହୋଇଗଲା। ସମସ୍ତଙ୍କ ପ୍ରିୟ ଲତା ଦିଦିଙ୍କୁ ଆଜି ପୂରା ଦେଶ ଝୁରୁଛି। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ସବୁଠି ତାଙ୍କ ସଙ୍ଗୀତକୁ ଝୁରୁଛନ୍ତି ଶ୍ରୋତା।

ଓଡ଼ିଶା ବି ଏଥିରୁ ବାଦ୍‌ ପଡ଼ିବ କିଭଳି। ଓଡ଼ିଆ ସିନେମା ସହ ମଧ୍ୟ ଥିଲା ତାଙ୍କ ସମ୍ପର୍କ। ଓଡ଼ିଶାର ସଙ୍ଗୀତ ପ୍ରେମୀ ତାଙ୍କ ଓଡ଼ିଆ ସିନେ-ଗୀତ ପ୍ରତି ଥିବା ଅବଦାନ ଲାଗି ଏବେ ବି ମନେ ପକାଉଛନ୍ତି। ୩୬ରୁ ଊର୍ଦ୍ଧ୍ୱ ଭାଷାରେ ୪୦ ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି। ସେଥିରେ ଓଡ଼ିଆ ଗୀତ ମଧ୍ୟ ରହିଛି। ସ୍ୱର ସମ୍ରାଜ୍ଞୀ ଦୁଇଟି ଓଡ଼ିଆ ଫିଲ୍ମରେ ଗୀତ ଗାଇଛନ୍ତି। ୧୯୬୩ରେ ସିନେମା ‘ସୂର୍ଯ୍ୟମୁଖୀ’ର ଗୀତ ‘ସେଇ ଚୁନା ଚୁନା ତାରା ଫୁଲେ ଆଜି…’ ଏବଂ ୧୯୬୮ରେ ‘ଅରୁନ୍ଧତୀ’ ସିନେମାର ‘ଆଜି ମୁଁ ଶ୍ରାବଣୀ…’ ଗୀତରେ ଲତାଙ୍କ ସ୍ବର ରହିଛି। ଉକ୍ତ ଦୁଇ ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

ସୌଭାଗ୍ୟବଶତଃ ଉକ୍ତ ଦୁଇ ସିନେମା ଜାତୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲା। ଏହି ଗୀତ ଦ୍ବୟ ଲାଗି ଓଡ଼ିଆ ସଙ୍ଗୀତ ଓ ସିନେମା ଜଗତ ଲତାଙ୍କ ସହ ଯୋଡ଼ି ହୋଇ ରହିଛି। ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗୀତର ସ୍ୱର ସଂଯୋଜନା କରିବା ସହ ଏଥିରେ ଲତାଙ୍କୁ ହିଁ ପ୍ଲେ ବ୍ୟାକ୍‌ ସିଙ୍ଗର ଭାବେ ନେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପ୍ରଥମେ ପ୍ରଯୋଜକଙ୍କୁ ପ୍ରସ୍ତାବ ଦେଇଥିଲେ। ଲତାଙ୍କ ନାଁ ଶୁଣିବା କ୍ଷଣି ପ୍ରଯୋଜକ ମଧ୍ୟ ରାଜି ହୋଇଯାଇଥିଲେ। ଏହାପରେ ସଙ୍ଗୀତକାର ଶାନ୍ତନୁ ମହାପାତ୍ର ଲତାଙ୍କ ପାଖକୁ ମୁମ୍ବାଇ ଯାଇ ଗୀତର ସ୍ୱର ଶୁଣାଇଥିଲେ। ଗୀତର ସ୍ୱର ଶୁଣିଲା ପରେ ଲତା ଉତ୍ସାହିତ ହୋଇଥିଲେ ଏବଂ ସେଥିରେ କଣ୍ଠଦାନ କରିବାକୁ ରାଜି ମଧ୍ୟ ହୋଇଥିଲେ। ଉପରୋକ୍ତ ଗୀତର ରେକର୍ଡିଂ ଅବସରରେ ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ। ଗୀତର ଶୁଦ୍ଧ ଓଡ଼ିଆ ଉଚ୍ଚାରଣର ଶିକ୍ଷା ମଧ୍ୟ ସେ ସ୍ବର ସମ୍ରାଜ୍ଞୀଙ୍କୁ ଦେଇଥିଲେ। ଆଜି ଉକ୍ତ ଗୀତ ପାଇଁ ପୂରା ଓଡ଼ିଆ ସିନେ ଜଗତ ଲତାଙ୍କୁ ଝୁରୁଛି।

ତେବେ ଉକ୍ତ ଦୁଇଟି ଗୀତ ପରେ ଲତାଙ୍କ ସ୍ବର ଆଉ ଓଲିଉଡ୍‌ରେ ଶୁଣିବାକୁ ମିଳି ନ ଥିଲା। ଅନେକ ସଙ୍ଗୀତ ନିର୍ଦେଶକ ଲତାଙ୍କୁ ଆଣିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଯୋଡ଼ି ଭୁବନ-ହରି ‘ଗପ ହେଲେ ବି ସତ’ର କାଳଜୟୀ ଗୀତ ‘ମୁଁ ଯେ ଜାଣେ ନା କାହା ବାଟ…’ରେ ଲତା ମଙ୍ଗେସକରଙ୍କୁ ନେବା ଲାଗି ପ୍ରଚେଷ୍ଟା କରିଥିଲେ। ମାତ୍ର ସଫଳ ହୋଇ ନଥିଲେ। ଶେଷରେ ଏହି ଗୀତକୁ ସୁମନ କଲ୍ୟାଣପୁରଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା। ଠିକ୍ ସେହିପରି ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ‘ସବୁ ମାୟାରେ ବାୟା’ ସିନେମାର ସମ୍ବଲପୁରୀ ଗୀତ ‘ଛୁଇଁ ଦେଲେ ଛଇଲିକେ…’ରେ କଣ୍ଠଦାନ ଲାଗି ଲତାଙ୍କୁ ଅନୁରୋଧ କରିଥିଲେ। ତେବେ କୌଣସି କାରଣରୁ ସେ ରାଜି ହୋଇ ନ ଥିଲେ ଏବଂ ଗୀତଟି ଅନୁରାଧା ପୋଡୱାଲଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା।

ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ କହିବାନୁଯାୟୀ ଲତା ମଙ୍ଗେସକର ଗାଇଥିବା ଦୁଇଟି ଯାକ ଗୀତ ମୁମ୍ବାଇରେ ରେକର୍ଡ ହୋଇଥିଲା। ‘ସେଇ ଚୁନା ଚୁନା ତାରା ଫୁଲେ ଆଜି…’ ଗୀତର ଭାବକୁ ବୁଝିବା ଲାଗି ଲତା ଗୋଟିଏ ଦିନ ସମୟ ନେଇଥିଲେ। ‘ଆଜି ମୁଁ ଶ୍ରାବଣୀ…’ ଗୀତ ଗାଇବା ସମୟରେ ଶବ୍ଦଗୁଡ଼ିକ ଉଚ୍ଚାରଣ କରିବା ସମୟରେ ସ୍ୱର ସମ୍ରାଜ୍ଞୀ ସାମାନ୍ୟ କଷ୍ଟ ଅନୁଭବ କରିଥିଲେ। ତେବେ ଗୀତ ଏତେ ସୁମଧୁର ଥିଲା ଯେ ପ୍ରତିଟି ଓଡ଼ିଆ ଶ୍ରୋତାଙ୍କ ମଧ୍ୟରେ ତାହା ଏବେ ବି ଗୁଞ୍ଜରିତ ହେଉଛି।

ଶାନ୍ତନୁ ମହାପାତ୍ର ନିଜର ଏକ ଇଣ୍ଟରଭିୟୁରେ କହିଥିଲେ, ‘ସୂର୍ଯ୍ୟମୁଖୀ’ରେ ଗାଇ ସାରିଥିବାରୁ ‘ଅରୁନ୍ଧତୀ’ରେ ଗାଇବାକୁ ନେଇ ଲତାଙ୍କର କୌଣସି ଆପତ୍ତି ନଥିଲା। ଓଲଟି ସେ ଗୀତଟିକୁ ଶୁଣିବା ପରେ କହି ଉଠିଥିଲେ: ଆରେ ବାଃ, ରାଗ ମହ୍ଲାରରେ ତ ଗୀତଟି ଅତି ସୁନ୍ଦର ହୋଇଛି। ଗୀତଟି ଗାଇଲେ ଲତା। ଆଉ ତାହା ମୁକ୍ତିଲାଭ କରିବା ପରେ ଓଡ଼ିଶାର ଶ୍ରୋତାଙ୍କ ପାଇଁ ଲତା ପାଲଟି ଯାଇଥିଲେ ‘ଶ୍ରାବଣୀ… ଲୁହର ହରିଣୀ’। ବହୁ ଲୋକପ୍ରିୟ ସେହି ଗୀତଟି ଥିଲା ‘ଆଜି ମୁଁ ଶ୍ରାବଣୀ, ଲୁହର ହରିଣୀ’। ଗୀତଟିକୁ ରଚନା କରିଥିଲେ ପ୍ରଖ୍ୟାତ ଓଡ଼ିଆ କବି ଜୀବନାନନ୍ଦ ପାଣି। ଏଠାରେ ସୂଚନା ଦିଆଯାଇପାରେ ଯେ, ‘ଅରୁନ୍ଧତୀ’ ହେଉଛି ସେହି ଫିଲ୍ମ ଯେଉଁଥିରେ ପ୍ରଥମଥର ପାଇଁ ପ୍ରଖ୍ୟାତ ଗାୟକ ମହମ୍ମଦ ରଫି କଣ୍ଠଦାନ କରିଥିଲେ।

ସମ୍ବନ୍ଧିତ ଖବର