ପୁରୀ: ସରିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ରତ୍ନବେଦିରେ ଅଧିଷ୍ଠିତ ହୋଇ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ତେଣୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତଙ୍କ ସୁଅ ଛୁଟିଥିଲା। ବର୍ଷା ସତ୍ତ୍ବେ ବହୁ ଭକ୍ତ ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଏଥିସହ ୧୨ ଦିନର ଯାତ୍ରା ପରେ ଆଜି ମିଳିଥିଲା ନୀଳାଚଳ ଅବଢ଼ା। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପରେ ନୀଳାଚଳ ଅବଢ଼ା ଖାଇବା ସହ ଘରକୁ ବୋହି ନେଇଥିଲେ। ଆଜି ଅବଢ଼ା ବାହାରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ତଥାପି ବହୁ ଭକ୍ତ ଅବଢ଼ା ପାଇଁ ଅପେକ୍ଷା କରି ରହିଥିଲେ। ଭୋଗ ମଣ୍ଡପରୁ ଅବଢ଼ା ବାହାରି ଆନନ୍ଦ ବଜାରକୁ ଆସିବା କ୍ଷଣି ଆନନ୍ଦ ବଜାରରେ ଭିଡ଼ ଜମିଯାଇଥିଲା।

Advertisment

ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆରଙ୍କ କହିବା ମୁତାବକ, ଗତକାଲି ମହାପ୍ରଭୁ ପହଣ୍ଡି ହୋଇ ଆସିବା ପରଠୁ ନୀତି ବିଳମ୍ବରେ ଚାଲିଥିବାରୁ ଅବଢ଼ା ବିଳମ୍ବରେ ବାହାରିଛି। ସକାଳ ଧୂପ ବାହାରି ପାଣି ପଡ଼ିବା ବେଳକୁ ୪ଟା ୫୫ ମିନିଟ୍‌ ହୋଇଥିଲା। ତେଣୁ ୫ଟା ଭିତରେ ସକାଳ ଧୂପ ବାହାରିଥିଲା। ମାତ୍ର ସକାଳ ଧୂପରେ କେବଳ ନିର୍ଦ୍ଧାରିତ ୩୦ରୁ ୪୦ଟି ହାଣ୍ଡି, ବେହେରା, ପନ୍ତି ଭୋଗ, ରାଜାଘର ଭୋଗ ବାହାରିଥିଲେ ହେଁ ଭକ୍ତମାନେ ଅବଢ଼ା ପାଇବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ପ୍ରତିଦିନ ଯେତିକି ଅବଢ଼ା ବାହାରେ ଆଜି ତା’ ତୁଳନାରେ ଅଧିକ ଅବଢ଼ା ପ୍ରସ୍ତୁତ ଉପଲବ୍ଧ ହୋଇଛି। ନୀଳାଦ୍ରି ବିଜେ ପରେ ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ଥିବାରୁ ଅଧିକ ପରିମାଣରେ ଅବଢ଼ା ପ୍ରସ୍ତୁତ ହୋଇଛି। ପ୍ରାୟ ୪୦ ହଜାର ଭକ୍ତଙ୍କ ପାଇଁ ଅବଢ଼ା ଉପଲବ୍ଧ ହୋଇଛି। ପଛ ଭଅଣ୍ଡରେ ମଧ୍ୟ ଆହୁରି ଅବଢ଼ା ଉପଲବ୍ଧ ହେବ। ଏହାବ୍ୟତୀତ ବରାଦି ଅବଢ଼ା ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।

ବଡ଼ସିଂହାର ନହୋଇ ଆଜି ମଙ୍ଗଳ ଆଳତି ହେବା ବେଳକୁ ୧୧ଟା ୪୦ ବାଜିଯାଇଥିଲା। ପରେ ତଡ଼ପଲାଗି, ଅଧର ପୋଛା, ମଇଲମ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ପୂଜା ସରି ସକାଳ ଧୂପ ଡାକିଯିବା ବେଳକୁ ଅପରାହ୍‌ଣ ୩ଟା ୩୫ ବାଜିସାରିଥିଲା। ସକାଳ ଧୂପ ସରିବା ବେଳକୁ ୪ଟା ୪୦ ବାଜି ସାରିଥିଲା। ତେଣୁ ଅବଢ଼ା ବାହାରିବା ବିଳମ୍ବ ହୋଇଥିଲା। ବିଳମ୍ବ ହେବା ସତ୍ତ୍ବେ ବହୁ ଭକ୍ତ ଉପାସରେ ଅବଢ଼ା ପାଇବାକୁ ଅପେକ୍ଷା କରି ରହିଥିଲେ। ଆଜି ଅବଢ଼ା ଦର ଉଚ୍ଚା ରହିଥିଲେ ବି ଭକ୍ତମାନେ ଭ୍ରୂକ୍ଷେପ ନକରି ଅବଢ଼ା ଖାଇବା ଓ ନେବାକୁ ଭିଡ଼ ଜମାଇଥିଲେ। ଏନେଇ ପଦ୍ମନାଭ ମହାସୁଆର କହିଛନ୍ତି, ଆଡ଼ପମଣ୍ଡପରେ ଅବଢ଼ା ଦରଠୁ ଆଜି କମ୍‌ ଦରରେ ଅବଢ଼ା ଉପଲବ୍ଧ ହୋଇଛି।