ବାଲେଶ୍ବର : ଦୀର୍ଘ ୩୫ ବର୍ଷ ଧରି ବିଚାରାଧୀନ ରହିଥିବା ଏକ ସରକାରୀ ଅର୍ଥ ହଡ଼ପ ମାମଲାର ବିଚାର କରି ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ଶିଖାରାଣୀ ରଥ ଶନିବାର ଦିନ ଅଭିଯୁକ୍ତଙ୍କୁ ୧୫ ହଜାର ଟଙ୍କା ଜରିମାନା ସହ ୧ବର୍ଷ ଜେଲଦଣ୍ଡ ଏବଂ ତାହା ଅନାଦେୟ ହେଲେ ଆଉ ୨ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତଜଣକ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଅବସରପ୍ରାପ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ହୃଷୀକେଶ ମଲ୍ଲିକ।
୧୯୮୨ ଏପ୍ରିଲ ୬ରୁ ୧୯୮୫ ମସିହା ଜୁନ୍ ୨୪ ପର୍ଯ୍ୟନ୍ତ ଏବଂ ୧୯୮୫ ମସିହା ସେପ୍ଟେମ୍ବର ୨୦ରୁ ୧୯୮୬ ମସିହା ଜାନୁଆରି ୧୬ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ପଢ଼ୁଥିବା ପ୍ରି-ମାଟ୍ରିକରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ଟଙ୍କା ତତ୍କାଳୀନ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ହୃଷୀକେଶ ମଲ୍ଲିକ ହଡ଼ପ କରିଥିଲେ। ଏହି ମାମଲାରେ ବାଲେଶ୍ବର ଭିଜିଲାନ୍ସ ବିଭାଗ ୦୨/୧୯୮୭ରେ ମାମଲା ରୁଜୁ କରିଥିଲା ଏବଂ ଏହି ମାମଲା ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ଥିଲା। ଆଜି ପୂର୍ବାହ୍ନରେ ବିଚାରପତି ଶିଖାରାଣୀ ରଥ ଅଭିଯୁକ୍ତ ତଥା ଅବସରପ୍ରାପ୍ତ ତତ୍କାଳୀନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଦଣ୍ଡ ଶୁଣାଣି କରିଥିଲେ।
ସୂଚନାଥାଉକି, ଅଭିଯୁକ୍ତ ଶ୍ରୀ ମଲ୍ଲିକ ଦୀର୍ଘବର୍ଷ ଧରି ଚାକିରିରୁ ଅବସର ନେଲେଣି। ତାଙ୍କ ବିରୋଧରେ ଏହି ମାମଲାକୁ ୩୫ବର୍ଷ ଚାଲିଥିବା ବେଳେ ସେ ଏବେ ବୃଦ୍ଧ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/law.jpg)
