ବିଳମ୍ବିତ ନ୍ୟାୟ: ଖୋର୍ଦ୍ଧା, କଟକ ପଛକୁ ବାଲେଶ୍ବର

କୋର୍ଟରେ ଗଡ଼ୁଛି ୧ ଲକ୍ଷ ୧୨ ହଜାର ମାମଲା

ବାଲେଶ୍ବର: ତାରିଖ ପରେ ତାରିଖ ଗଡ଼ୁଛି, ହେଲେ ଲୋକଙ୍କୁ ନ୍ୟାୟ ମିଳୁନାହିଁ। ନ୍ୟାୟିକ ବ୍ୟବସ୍ଥାର ଜଟିଳ ପ୍ରକ୍ରିୟା ଭିତରେ ପ୍ରତିଦିନ ପେଷି ହେଉଛନ୍ତି ଲକ୍ଷାଧିକ ଲୋକ। ନିକଟରେ ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରୀଡ୍(ଏନ୍‌ଜେଡିଜି) ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ। ରିପୋର୍ଟ ମୁତାବକ ରାଜ୍ୟରେ ସବୁଠୁ ଅଧିକ ମାମଲା ପଡ଼ିରହିବା ଭିତରେ ଖୋର୍ଦ୍ଧା ପ୍ରଥମ ସ୍ଥାନରେ ରହିଥିବାବେଳେ ତା’ ପଛକୁ କଟକ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ରହିଛି।

୨୦୨୨ ଫେବ୍ରୁଆରି ମାସ ସୁଦ୍ଧା ବାଲେଶ୍ବର ଜିଲ୍ଲାରେ ମୋଟ ୧ ଲକ୍ଷ ୩୦ ହଜାର ୮୬୪ଟି ମାମଲା କୋର୍ଟରେ ଫଇସଲା ନ ହୋଇ ଗଡ଼ୁଛି। ଏଥିରୁ ୩୯ ହଜାର ୮୯୮ ଜମିଜମା (ସିଭିଲ) ସଂକ୍ରାନ୍ତୀୟ ମାମଲା ଓ ୯୦ ହଜାର ୯୬୬ ଫୌଜଦାରୀ ମାମଲା ରହିଛି। ସେହିପରି ପରିବାର ଅଦାଲତରେ ଭରଣପୋଷଣ, ଛାଡ଼ପତ୍ର ଆଦି ୨୬୨୮ଟି ମାମଲା ଏବଂ ୪୫୬୩ଟି ଫୌଜଦାରୀ ମାମଲା ଫଇସଲା ହୋଇନାହିଁ। ବାଳ ଅପରାଧ ସଂକ୍ରାନ୍ତ ଜେଜେପି (ଜୁଭେନାଇଲ ଜଷ୍ଟିସ୍‌ ପ୍ରୋଟେକ୍‌ସନ୍‌)ରେ ୨୬୩ ମାମଲା ପଡ଼ିରହିଥିବା ବେଳେ ପୋସ୍‌କୋରେ ୮୦୩ଟି ମାମଲା ଫଇସଲା ନ ହୋଇ ପଡ଼ିରହିଛି।

ପରିବାର ଅଦାଲତ ମାମଲାକୁ ଛାଡ଼ି ଜିଲ୍ଲାରେ ୫୩ ହଜାର ୯୯୫ ମାମଲା ୫ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି। ସେଥିମଧ୍ୟରୁ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ୨୯ଟି ସିଭିଲ ମାମଲା ଓ ୩୦ରୁ ଅଧିକ ବର୍ଷ ଧରି ୧୩ଟି ଫୌଜଦାରୀ ମାମଲା ବିଚାର ଅପେକ୍ଷାରେ ରହିଛି। କରୋନା ପାଇଁ କୋର୍ଟ କଚେରୀ ବହୁଦିନ ବନ୍ଦ ରହିବାରୁ ମାମଲା ସଂଖ୍ୟା ଅଧିକ ବୃଦ୍ଧି ପାଇଥିବା କୁହାଯାଉଛି। ମହାମାରୀ ସମୟରେ କେବଳ ଅତି ଜରୁରୀ ମାମଲାଗୁଡ଼ିକୁ ଭର୍ଚୁଆଲ ମୋଡ୍‌ରେ ଫଇସଲା କରାଯାଇଥିଲା। ତେବେ କରୋନା ପୂର୍ବରୁ ମଧ୍ୟ ଅନେକ ମାମଲା ବର୍ଷ ବର୍ଷ ଧରି ପଡ଼ିରହିଥିବାର ନଜିର ରହିଛି।

କୋର୍ଟରେ ବିଚାର ବିଭାଗୀୟ ଅଧିକାରୀଙ୍କ ସଂଖ୍ୟା ଖାଲି ପଡ଼ିବା ଏବଂ ଆବଶ୍ୟକ ସମୟରେ ନୂତନ ନିଯୁକ୍ତି ବିଳମ୍ବିତ ହେବା ମକଦ୍ଦମା ବୃଦ୍ଧିସଂଖ୍ୟାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ପୂର୍ବରୁ ‌ଲୋକେ ଥାନା, କୋର୍ଟକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନଥିଲେ। ଏବେ ଲୋକେ ନ୍ୟାୟ ପାଇଁ ଆଇନ୍‌ର ସହାୟତା ନେଉଛନ୍ତି। ତେବେ ଦଶନ୍ଧି ଦଶନ୍ଧି ଧରି କୋର୍ଟରେ ଗଡ଼ୁଥିବା ମାମଲାଗୁଡ଼ିକର ଶୁଣାଣି ହୋଇ ନ ପାରିବା ଆମ ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ବିଡ଼ମ୍ବନା। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ହାବିଲ ସିଦ୍ଧୁ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ହତ୍ୟା ଅପରାଧରେ ଜେଲର କାଳ କୋଠରୀରେ ଦୀର୍ଘ ୧୯ ବର୍ଷ ରହିବା ପରେ ହାବିଲ ଶେଷରେ ନିର୍ଦ୍ଦୋଷରେ ଖଲାସ ହେଲେ। ଆଜିର ଦିନରେ ଏହା ଚରମ ବିଡ଼ମ୍ବନା ନୁହେଁ ତ ଆଉ କ’ଣ?

ସମ୍ବନ୍ଧିତ ଖବର